ଭାରତରେ ସରିନି ତୃତୀୟ ଲହର କିନ୍ତୁ ବିଶ୍ୱର କିଛି ସ୍ଥାନରେ ଦେଖାଦେଲାଣି କୋଭିଡ ଚତୁର୍ଥ ଲହର

କେନ୍ୟୁଜ୍(ବ୍ୟୁରୋ): ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର କମ୍ ମାରାତ୍ମକ । କାମ ଦେଇଛି ଟିକା । ସେକେଣ୍ଡ ୱେଭ ଅପେକ୍ଷା ଥାର୍ଡ ୱେଭରେ ଆକ୍ଟିଭ କେସ୍ ଓ ମୃତ୍ୟୁ ସଂଖ୍ୟା କମ୍ ରହିଛି । କାରଣ ବଢ଼ିଛି ଟିକା ନେଇଥିବା ଜନସଂଖ୍ୟା । ସମ୍ପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତଙ୍କ ପାଖରେ ରୋଗର ସୀମିତ ପ୍ରଭାବ ଦେଖିବାକୁ ମିଳୁଛି । ତେଣୁ କମ୍ ରହୁଛି ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସରକାରଙ୍କ ଡାଟା ଅନୁସାରେ, ୨୦୨୧ ଏପ୍ରିଲ ୩୦ରେ ଦେଶରେ ଦୈନିକ ସଂକ୍ରମଣ ଥିଲା ୩ ଲକ୍ଷ ୮୬ ହଜାର ୪୫୨। ମୁତ୍ୟୁ ସଂଖ୍ୟା ଥିଲା ୩ ହଜାର ୫୯ । ଆକ୍ଟିଭ୍ କେସ ୩୧ ଲକ୍ଷ ୭୦ ହଜାର ୨୨୮ ଥିଲା । ସେତେବେଳେ ୨ ପ୍ରତିଶତ ଲୋକ ଟିକାର ଦୁଇଟି ଡୋଜ୍ ନେଇଥିଲେ । ଆଜି ଅର୍ଥାତ ୨୦ ଜାନୁଆରୀରେ ୮ ମାସ ପରେ ଦୈନିକ ସଂକ୍ରମିଣ ୩ ଲକ୍ଷ ଉପରେ ରହିଛି । ମୃତ୍ୟୁ ସଂଖ୍ୟା ୩୮୦ । ଆକ୍ଟିଭ୍ କେସ ରହିଛି ୧୯ ଲକ୍ଷ ୨୪ ହଜାର ୫୧ । ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୨ ପ୍ରତିଶତ । ଅର୍ଥାତ ଆକ୍ଟିଭ କେସ୍ ତୁଳନାରେ ତୃତୀୟ ଲହରରେ ମୃତ୍ୟୁ ହାର କମିଯାଇଛି ।
ଦେଶରେ କରୋନାର ତୃତୀୟ ଲହର ପ୍ରକୋପ ଦେଖାଉଛି । ଦୈନିକ ସଂକ୍ରମଣରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସ୍ଥିତି ଉଦବେଗଜନକ ଅଛି । ସେହିପରି ଆକ୍ଟିଭ୍ କେସ୍ ଟପ୍ ଟେନ୍ ରାଜ୍ୟରେ ଅଛି ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଗୁଜରାଟ, ଓଡ଼ିଶା, ଦିଲ୍ଲୀ ଓ ରାଜସ୍ଥାନ । ଏବେ ବିଶ୍ୱର କିଛି ସ୍ଥାନରେ ଦେଖାଦେଇଛି କୋଭିଡର ଚତୁର୍ଥ ଲହର । ଗତ ସପ୍ତାହରେ ବିଶ୍ୱବ୍ୟାପୀ ୨୯ ଲକ୍ଷ ନୂଆ କେସ୍ ବାହାରିଛି । ଏସିଆରେ ସଂକ୍ରମଣ ବଢୁଛି । ୟୁରୋପରେ କମୁଛି ।
ଏପଟେ ଓଡ଼ିଶାରେ ସ୍ଥିର ରହିଛି ସଂକ୍ରମଣ । ଦୈନିକ କେସ୍ ୧୦ ହଜାର ଉପରେ ରହୁଛି । ଆଜି ଚିହ୍ନଟ ହୋଇଛନ୍ତି ୧୦ହଜାର ୩୬୮ ପଜିଟିଭ୍ । ଆକ୍ଟିଭ୍ କେସ୍ ୮୮ ହଜାର ଉପରେ ରହିଛି । କିନ୍ତୁ ହସ୍ପିଟାଲରେ ରୋଗୀ ନାହାନ୍ତି । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୨ଶହ ୩୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଓମିକ୍ରନ୍ ପ୍ରଭାବରେ ବିଶ୍ୱବ୍ୟାପୀ ଭୟଙ୍କର ଭାବରେ ବଢ଼ିଥିଲା କରୋନା ସଂକ୍ରମଣ । ଏବେ ଧୀରେ ଧୀରେ ଖସୁଛି ।