ଆଉ ଆଗକୁ ବଢ଼ିବନି ମାଗଣା ରାଶନ ବିତରଣ, ନଭେମ୍ବରରୁ ବନ୍ଦ ହୋଇଯିବ ଗରିବଙ୍କୁ ଖାଦ୍ୟଶସ୍ୟ ପ୍ରଦାନ ଯୋଜନା

ଦେଶର ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ଆଗକୁ ବଢ଼ାଇବେନି। କରୋନା କାଳରେ ଯେପରି କୌଣସି ଗରିବ ଭୋକିଲା ପେଟରେ ଶୋଇବେ ନାହିଁ, ସେଥିପାଇଁ ଆରମ୍ଭ କରାଯାଇଥିବା ଏହି ଗରିବ କଲ୍ୟାଣ ଅନ୍ନ ଯୋଜନା ଚଳିତ ନଭେମ୍ବରରେ ଶେଷ ହୋଇଯିବ। ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେଙ୍କ ମୁତାବକ, ମାଗଣା ରାଶନ ବିତରଣକୁ ନଭେମ୍ବରଠାରୁ ଆଉ ଆଗକୁ ବଢ଼ାଇବାର କୌଣସି ପ୍ରସ୍ତାବ ନାହିଁ। ପାଣ୍ଡେ ଶୁକ୍ରବାର ଗଣମାଧ୍ୟମକୁ ବୟାନ ଦେବା ସମୟରେ କହିଥିଲେ କି, ଅର୍ଥ ବ୍ୟବସ୍ଥାରେ ସୁଧାର ହେଉଛି। ଏଥି ସହିତ OMSS (Open Market Sale Scheme)ରେ ମଧ୍ୟ ଖାଦ୍ୟଶସ୍ୟର ଡିମାଣ୍ଡ ବଢ଼ିଛି। ଏଥିପାଇଁ ସରକାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ରାଶନ ବିତରଣକୁ ନେଇ ଆଗକୁ କୌଣସି ପ୍ରସ୍ତାବ ନାହିଁ।

ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ସମୟରେ ୨୦୨୦, ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଆରମ୍ଭ କରିଥିଲେ। ମହାମାରୀର ଦ୍ୱିତୀୟ ଲହରୀ ଆରମ୍ଭ ପରେ ଏହି ଯୋଜନାକୁ ପୁଣିଥରେ ଦୁଇ ମାସ ଅବଧି ପାଇଁ (ଚଳିତ ବର୍ଷ ଏପ୍ରିଲ-ମେ’) ଆରମ୍ଭ କରାଯାଇଥିଲା ଏବଂ ପରେ ଏହାକୁ ଆଗାମୀ ୫ ମାସ (ଜୁଲାଇ-ନଭେମ୍ବର) ଅବଧି ପାଇଁ ବଢ଼ା ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PMGKAYକୁ ଦୀପାବଳି ପର୍ଯ୍ୟନ୍ତ ଅର୍ଥାତ୍‌ ନଭେମ୍ବର ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ଘୋଷଣା କରିଥିଲେ। PMGKAY ଅନ୍ତର୍ଗତ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଗ୍ୟାରେଣ୍ଟି ଯୋଜନା (NFSA) ଅଧୀନରେ ଆସୁଥିବା ଲାଭାର୍ଥୀମାନଙ୍କୁ ପ୍ରତି ସଦସ୍ୟ ପିଛା ୫ କିଲୋ ଖାଦ୍ୟଶସ୍ୟ (ଗହମ ଓ ଚାଉଳ) ମାଗଣା ଦିଆ ଯାଇଥିଲା। NFSA ଅଧୀନରେ ପ୍ରତି ବ୍ୟକ୍ତି ପିଛା ମିଳୁଥିବା ଗହମ କିମ୍ବା ଚାଉଳ ଅତିରିକ୍ତ ଥିଲା। କରୋନା କାଳରେ ସରକାରଙ୍କ ଏହି ଯୋଜନାରେ ଲୋକଙ୍କୁ ଅନେକ ଆରାମ ମିଳିଥିଲା।

ସୂଚନାଥାଉ କି, PMGKAY ଅନ୍ତର୍ଗତ ସରକାର NFSA ଅଧୀନରେ ୮୦ କୋଟି ରାଶନ କାର୍ଡ ହୋଲ୍ଡର୍ସଙ୍କୁ ମାଗଣା ରାଶନ ଯୋଗାଣ କରୁଛନ୍ତି। ରାଶନ ଦୋକାନ ଜରିଆରେ ସେମାନଙ୍କୁ ସବ୍‌ସିଡିଯୁକ୍ତ ଖାଦ୍ୟଶସ୍ୟ ବ୍ୟତୀତ ମାଗଣା ରାଶନ ଦିଆଯାଉଛି। ସରକାର ଘରୋଇ ବଜାରରେ ଉପଲବ୍ଧତାରେ ସୁଧାର ଏବଂ ଦାମ୍‌ ରୋକିବା ପାଇଁ OMSS ନୀତି ଅଧୀନରେ ଅନେକ ଉପଭୋକ୍ତାଙ୍କୁ ଚାଉଳ ଓ ଗହମ ଦେଉଛନ୍ତି। କହି ରଖୁଛୁ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭାରତରେ କୋଭିଡ୍‌-୧୯ ମହାମାରୀ ସମୟରେ ୨୦୨୦ ମାର୍ଚ୍ଚରେ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ଏକ ଖାଦ୍ୟ ସୁରକ୍ଷା କଲ୍ୟାଣ ଯୋଜନା। ଏହି କାର୍ଯ୍ୟକ୍ରମ ଉପଭୋକ୍ତା ମାମଲା, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରାଳୟ ଅଧୀନରେ ଖାଦ୍ୟ ଓ ସାର୍ବଜନିକ ବିତରଣ ବିଭାଗ ଦ୍ୱାରା ପରିଚାଳିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.