ଗୌତମ ଆଦାନୀଙ୍କ ବୋହୂ ହେବାକୁ ଯାଉଛନ୍ତି ଦିଭା ଜୈମିନ ଶାହ, ସରିଲା ସାନପୁଅ ଜିତ୍‌ ଆଦାନୀଙ୍କ ନିର୍ବନ୍ଧ

ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ଘରେ ପୁଣିଥରେ ଶାହାନାଇ ବାଜିବାକୁ ଯାଉଛି। ତାଙ୍କ ସାନପୁଅ ଜିତ ଆଦାନୀଙ୍କର ଜଣେ ହୀରା ବ୍ୟବସାୟୀଙ୍କ ଝିଅ ସହିତ ନିର୍ବନ୍ଧ ସମ୍ପନ୍ନ ହୋଇଛି।

ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ଘରେ ପୁଣିଥରେ ଶାହାନାଇ ବାଜିବାକୁ ଯାଉଛି। ତାଙ୍କ ସାନପୁଅ ଜିତ ଆଦାନୀଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି। ରିପୋର୍ଟ ମୁତାବକ, ଜଣାଶୁଣା ହୀରା ବ୍ୟବସାୟୀଙ୍କ ଝିଅ ଦିଭା ଜୈମିନ ଶାହ ଏବେ ଆଦାନୀ ପରିବାରରେ ସାନ ବୋହୂ ଭାବରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଯଦିଓ ଏ ପର୍ଯ୍ୟନ୍ତ ବାହାଘର ତାରିଖ ପ୍ରକାଶ କରାଯାଇ ନାହିଁ।

ଗୌତମ ଆଦାନୀଙ୍କ ପୁଅ ଜିତ ରବିବାର ମାର୍ଚ୍ଚ ୧୨ରେ ଦିଭା ଜୈମିନ ଶାହଙ୍କ ସହ ନିର୍ବନ୍ଧ କରିଛନ୍ତି। ନିର୍ବନ୍ଧ ଗୁଜରାଟର ଅହମ୍ମଦାବାଦରେ ଏକ ବ୍ୟକ୍ତିଗତ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଭୟ ପରିବାରର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଆଦାନୀଙ୍କ ବୋହୂ ହେବାକୁ ଯାଉଥିବା ଦିଭା C.Dinesh & Co. Pvt. Ltdର ମାଲିକ ଜୈମିନ ଶାହଙ୍କ ଝିଅ।

ଗୌତମ ଆଦାନୀଙ୍କର ଦୁଇ ପୁଅ ଅଛନ୍ତି। ବଡ଼ ପୁଅ କରଣ ଆଦାନୀ ଓ ସାନପୁଅ ଜିତ ଆଦାନୀ। ଜିତ୍‌ ୧୯୯୭ ନଭେମ୍ବର ୭ରେ ଜନ୍ମଗ୍ରହଣ କରିଥିଲେ। ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରି ୨୦୧୯ରେ ଭାରତ ଫେରିଥିଲେ। ଜିତ୍‌ ଓ ତାଙ୍କ ବଡ଼ ଭାଇ କରଣ ଉଭୟ ହିଁ ବିଦେଶରୁ ସ୍ନାତକ ହାସଲ କରିଛନ୍ତି।

କହି ରଖୁଛୁ, ଏହା ପୂର୍ବରୁ ଗୌତମ ଆଦାନୀଙ୍କ ବଡ଼ ପୁଅ କରଣଙ୍କର ଦେଶର ଜଣାଶୁଣା କର୍ପୋରେଟ୍‌ ଓକିଲ ସିରିଲ ଶ୍ରଫ୍‌ଙ୍କ ଝିଅ ପରିଧିଙ୍କ ସହିତ ବିବାହ ହୋଇଥିଲା। ୨୦୧୩ରେ କରଣ ଓ ପରିଧି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.