ଆଜିଠାରୁ ଶସ୍ତାରେ ମିଳିବ ଟମାଟୋ, ୫୦ ଟଙ୍କାରେ ଟମାଟୋ ବିକିବେ ସରକାର

ସରକାର ଦେବେ ଶସ୍ତାରେ ଟମାଟୋ । ଏବେ ୧୦୦ କି ୮୦ ନୁହେଁ ୫୦ ଟଙ୍କାରେ ଟମାଟୋ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାଧୀନତା ଦିବସରେ ଲୋକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଆଜିଠାରୁ ଶସ୍ତାରେ ମିଳିବ ଟମାଟର । ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

ପୂର୍ବରୁ ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋର ଖୁଚୁରା ମୂଲ୍ୟ ପ୍ରଥମେ କିଲୋ ପିଛା ୯୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ପରେ କିଲୋ ପିଛା ୮୦ ଟଙ୍କାକୁ ହ୍ରାସ କରାଯାଇଥିଲା । ଜୁଲାଇ ୨୦ରୁ ଏହାକୁ କିଲୋ ପିଛା ୭୦ ଟଙ୍କାକୁ କମ୍‌ କରାଯାଇଥିଲା। ଏହାବ୍ୟତୀତ ଏଜେନ୍ସି ଓପନ୍ ନେଟଓ୍ଵର୍କ ଫର୍ ଡିଜିଟାଲ କମର୍ସ (ଓଏନଡିସି) ପ୍ଲାଟଫର୍ମ ଜରିଆରେ ଟମାଟୋର ଖୁଚୁରା ବିକ୍ରି କରାଯାଉଛି। ଏବେ ସରକାର ଏହାକୁ ୫୦ ଟଙ୍କାରେ ବିକ୍ରି କରିବେ ବୋଲି ଦୁଇଟି ସହକାରୀ ସମିତିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନସିସିଏଫ ଏବଂ ନାଫେଡ ଦିଲ୍ଲୀ-ଏନସିଆର, ରାଜସ୍ଥାନର ଜୟପୁର ଏବଂ କୋଟା, ଉତ୍ତରପ୍ରଦେଶର ଲକ୍ଷ୍ନୌ, କାନପୁର, ବାରଣାସୀ ଓ ପ୍ରୟାଗରାଜ ଏବଂ ବିହାରର ପାଟନା, ମୁଜାଫରପୁର, ଆରା ଏବଂ ବକ୍ସାରରେ ଟମାଟୋ ବିକ୍ରି କରନ୍ତି।

ଦିଲ୍ଲୀ-ଏନସିଆରରେ ଟମାଟୋର ଖୁଚୁରା ବିକ୍ରି ଜୁଲାଇ ୧୪ରୁ ଆରମ୍ଭ ହୋଇଥିଲା । ଏନସିସିଏଫ ଦିଲ୍ଲୀର ୭୦ଟି ସ୍ଥାନରେ ଏବଂ ନୋଏଡା ଏବଂ ଗ୍ରେଟର ନୋଏଡାର ୧୫ଟି ସ୍ଥାନରେ ମୋବାଇଲ ଟମାଟୋ ଦୋକାନ ଏହି ଦୁଇ ସଂସ୍ଥା ଚଳାଉଛନ୍ତି।

ଖାଉଟି ବ୍ୟାପାର ବିଭାଗର ନିର୍ଦ୍ଦେଶ ପରେ ଏନସିସିଏଫ୍ ଓ ନାଫେଡ୍ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ବଜାରରୁ ଟମାଟୋ କିଣିବା ଆରମ୍ଭ କରିଥିଲେ। ଅଗଷ୍ଟ ୧୩ ସୁଦ୍ଧା ଏନସିସିଏଫ ଓ ନାଫେଡ୍ ମୋଟ ୧୫ ଲକ୍ଷ କେଜି ଟମାଟୋ କିଣିଛନ୍ତି। ଏହି ଟମାଟର ସେସବୁ ଅଞ୍ଚଳକୁ ପଠାଯିବ, ଯେଉଁଠି ଟମାଟର ଦାମ୍‌ ଅଧିକ ରହିଛି ।

ମନ୍ତ୍ରଣାଳୟ ଦେଇଥିବା ଆକଳନ ଅନୁସାରେ, ଟମାଟୋର ଦାମ୍‌ ୧୪ ଜୁଲାଇରୁ କୁଇଣ୍ଟାଲ ପ୍ରତି ୯,୬୭୧ରୁ ହ୍ରାସ ହୋଇ ୯,୧୯୫ ଟଙ୍କା ହୋଇଛି । ବର୍ଷା ଯୋଗୁଁ ଟମାଟୋ ଦାମ୍‌ ବଢିବା ଯୋଗୁଁ ଅନେକ ସମସ୍ୟା ଦେଖା ଦେଇଥିଲା । ଯାହାକୁ ଏବେ ସରକାର ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.