ହାଥରସ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କୁ ଏମିତି ଧମକ ଦେଇଥିଲେ ଦୁର୍ବୃତ୍ତ

ଗତ ଦୁଇ ସପ୍ତାହ ତଳେ ଉତ୍ତରପ୍ରଦେଶର ହଥରସ ଗାଁରେ ଗଣଦୁଷ୍କର୍ମର ଶିକାର ହୋଇଥିବା ୧୯ ବର୍ଷିୟ ଅନୁସୂଚିତ ବର୍ଗ ଯୁବତୀଙ୍କର ଗତକାଲି ଦିଲ୍ଲୀର ଏକ ଡାକ୍ତଖାନାରେ ମୃତ୍ୟୁ ହୋଇଛି। ସୂଚନା ମୁତାବକ ପିଡୀତା ଜଣଙ୍କର ଅବସ୍ଥା ଖରାପ ହେବାରୁ ତାଙ୍କୁ ସୋମବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରିପୋର୍ଟ ଅନୁଯାୟୀ ଗତ ୧୪ ତାରିଖରେ ଯୁବତୀ ଜଣକ ନିଜ ଗାଁ କ୍ଷେତରେ ପଶୁ ଚରାଇବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ଝିଅଟିର ଓଢଣୀକୁ ଟାଣି ଘୋଷାଡି ଘୋଷାଡି ଅନ୍ୟତ୍ର ସ୍ଥାନକୁ ନେଇଯାଇଥିଲେ, ଯାହାଦ୍ୱାରା ମେରୁଦଣ୍ଡରେ ଆଘାତ ଲାଗିଥିଲା | ଏହାପରେ ଯେତେବେଳେ ଅଭିଯୁକ୍ତମାନେ ଯୁବତୀ ଜଣଙ୍କ ଗଳା ଚିପିବା ପାଇଁ ଉଦ୍ୟମ କରିଥିଲେ ସେତେବେଳେ ଦାନ୍ତରେ ଜିଭଟି କଟିଯାଇ ଗଭୀର ଆଘାତ ଲାଗିଥିଲା। ଏନେଇ ଆଲିଗଡ ହସ୍ପିଟାଲର ନ୍ୟୁରୋ ସର୍ଜରୀର ମୁଖ୍ୟ ଫଖରୁଲ ହୋଡା ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଅବସ୍ଥା ସୁଧାରିବା ପରେ ତାଙ୍କ ମେରୁଦଣ୍ଡକୁ ସଂଶୋଧନ କରିବା ପାଇଁ ଅସ୍ତ୍ରୋପଚାର କରାଯାଇପାରିବ।
ରିପୋର୍ଟ ଅନୁଯାୟୀ ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ସାନ ପୀଡିତାଙ୍କୁ ମଧ୍ୟ କିଛି ସମୟ ପାଇଁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ବାପାଙ୍କ କହିବାନୁସାରେ ଝିଅକୁ ଗତ ସୋମବାର ଦିନ ଦିଲ୍ଲୀ ରେଫର୍ କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବାର ଏକ ସପ୍ତାହ ପରେ ଝିଅଟି ପୋଲିସକୁ କହିଛି ଯେ, ତାଙ୍କୁ ଚାରି ଜଣ ପୁରୁଷ ବଳାତ୍କାର କରିଥିଲେ, ଯାହାର ନାମ ମଧ୍ୟ ସେ ରଖିଥିଲେ। ବଳାତ୍କାର, ହତ୍ୟା ଉଦ୍ୟମ ଏବଂ ଏସସି / ଏସଟି ଆକ୍ଟ ଅଧୀନରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କ ନାମ ସନ୍ଦୀପ, ରାମୁ, ଲାଭକୁଶ ଏବଂ ରବି।
ଉକ୍ତ ମାମାଲାରେ ପୀଡିତାଙ୍କ ବାପା ରବିବାର ଦିନ ଗଣମାଧ୍ୟମକୁ କହିଛନ୍ତି, ଚାରି ଅଭିଯୁକ୍ତଙ୍କ ପରିବାର ତାଙ୍କୁ ଧମକ ଦେଉଛନ୍ତି। ଝିଅଟି ତାଙ୍କ ପରିବାରକୁ ମଧ୍ୟ କହିଛି ଯେ ଯଦି ସେ ଏହି ଘଟଣା ବିଷୟରେ କାହାକୁ ଜଣାନ୍ତି ତେବେ ଚାରି ଜଣ ଲୋକ ତାଙ୍କୁ ଭୟଙ୍କର ପରିଣାମର ଧମକ ଦେଇଥିଲେ।