ମହାରାଷ୍ଟ୍ରରେ ଛାତିଥରା ଦୁର୍ଘଟଣା : ଟ୍ରକ୍-ବସ୍ ଧକ୍କାରେ ୧୦ ଶ୍ରଦ୍ଧାଳୁ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଜି ସକାଳ ସମୟରେ ଘଟିଛି ଏକ ଛାତିଥରା ଦୁର୍ଘଟଣା । ମୁମ୍ବାଇରୁ ଶିରିଡି ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଘରୋଇ ଟୁରିଷ୍ଟ ବସ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୧୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଘରୋଇ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ପୋଲିସର ସୂଚନାନୁସାରେ, ଉଲହାସନଗରରୁ ସାଇ ଦର୍ଶନ ପାଇଁ ଯାଇଥିବା ୧୫ ଟି ବସ୍ ମଧ୍ୟରୁ ଏହା ଗୋଟିଏ । ବସରେ ଥିବା ସମସ୍ତ ଯାତ୍ରୀ ଅମ୍ବରନାଥର ବାସିନ୍ଦା ବୋଲି ଜଣାପଡିଛି। ସେମାନେ ଶିରିଡି ସାଇ ବାବାଙ୍କ ଦର୍ଶନ ପାଇଁ ଯାଉଥିଲେ । ରାଜପଥରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ବସଟି ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର ଜାରି ରଥିଛି । ପୋଲିସ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.