ପିଲାଙ୍କଠାରୁ ମୋବାଇଲ୍‌ ଛଡ଼ାଇବା ପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କରିବେ ହିମାଚଳ ସରକାର

ହିମାଚଳ ପ୍ରଦେଶ: ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଏବେ ମୋବାଇଲ୍‌ ଦେଖିବାକୁ ମିଳୁଛି। ସ୍କୁଲ ପିଲାମାନେ ଏବେ ପାଠପଢ଼ା ଛାଡ଼ି ଘଣ୍ଟା ଘଣ୍ଟା ମୋବାଇଲ୍‌ରେ ଅତିବାହିତ କରୁଛନ୍ତି। ପିଲାଙ୍କର ଏହି ବଦଭ୍ୟାସ ଛଡ଼ାଇବା ପାଇଁ ଅଭିଭାବକ ଚିନ୍ତାରେ ପଡ଼ିଥିବା ବେଳେ ହିମାଚଳ ପ୍ରଦେଶ ସରକାର ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି।

ଏବେ ହିମାଳୟ ପ୍ରଦେଶରେ ସ୍କୁଲ ପିଲାଙ୍କୁ ମୋବାଇଲର କୁପ୍ରଭାବ ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯିବ। ଛାତ୍ରଛାତ୍ରୀଙ୍କୁ ନିଶା ସେବନର କୁପ୍ରଭାବ ସହ ସ୍ୱଚ୍ଛତା, ଯୋଗ ଏବଂ ସମୟାନୁବର୍ତ୍ତିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ସଂସ୍କାରଯୁକ୍ତ ଶିକ୍ଷା, ଟ୍ରାଫିକ୍‌ ସଚେତନତା ସମ୍ପର୍କରେ ସ୍କୁଲ ପିଲାଙ୍କୁ ଅବଗତ କରାଯିବ। ପିଲାଙ୍କୁ ମାନସିକସ୍ତରରେ ଖୁସି ରଖିବା ପାଇଁ ସରକାରଙ୍କ ତରଫରୁ ଏଭଳି ପଦକ୍ଷେପମାନ ଗ୍ରହଣ କରାଯାଉଛି।

ଏହାସହ ପଢନ୍ତୁ: ସମାନ କାମ ପାଇଁ ସମାନ ଦରମା ଘୋଷଣା କଲେ କେନ୍ଦ୍ର ସରକାର,ଜାଣନ୍ତୁ କିଏ ପାଇବେ ଏହି ସୁବିଧା

୨୦୨୦-୨୧ ଶିକ୍ଷାବର୍ଷର ନବମ ଓ ଦଶମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ଲାଗି ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ନୈତିକ ଶିକ୍ଷା କିମ୍ବା ସାମାଜିକ ବିଜ୍ଞାନ ବିଷୟରେ ଏହାକୁ ସାମିଲ କରାଯିବ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାମନ୍ତ୍ରୀ ସୁରେଶ ଭରଦ୍ୱାଜ ସୂଚନା ଦେଇ କହିଛନ୍ତି ଯେ ସ୍କୁଲ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଲାଗି ଆସନ୍ତାବର୍ଷଠାରୁ ସରକାର ନୂତନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଏ ଅବସରରେ ଏନ୍‌ସିଇଆର୍‌ଟି ତରଫରୁ ନୂଆ ସିଲାବସ୍‌ ପ୍ରସ୍ତୁତ କରାଯାଉଛି। ତେବେ ପିଲାଙ୍କୁ ପରିବେଶର ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ମଧ୍ୟ ସଚେତନ କରାଯିବ। ଗତବର୍ଷ ସ୍କୁଲ ପରିସରରେ ପ୍ରାୟ ୮୯ ହଜାର ବୃକ୍ଷରୋପଣ କରାଯାଇଛି।

ପିଲାମାନେ ଏବେ ଅଧିକ ସମୟ ଟିଭି ଓ ମୋବାଇଲ୍‌ରେ ଅତିବାହିତ କରୁଛନ୍ତି। ତେଣୁ ସେମାନଙ୍କୁ ଏଭଳି ବାହ୍ୟ କାର୍ଯ୍ୟକ୍ରମ ଜରିଆରେ ବ୍ୟସ୍ତ ରଖିବାକୁ ସରକାର ଏହି ଅଭିନବ ଉପାୟ ଆପଣାଉଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.