ବହୁଚର୍ଚ୍ଚିତ ଆୟେଶା ଆତ୍ମହତ୍ୟା ମାମଲାରେ ସ୍ୱାମୀଙ୍କୁ ୧୦ ବର୍ଷ ଜେଲ୍‌; ୨ ବର୍ଷ ତଳେ ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ଆୟେଶା…

ଗୁଜରାଟର ଅହମ୍ମଦାବାଦ ସେସନ୍ସ କୋର୍ଟ ବହୁଚର୍ଚ୍ଚିତ ଆୟେଶା ଆତ୍ମହତ୍ୟା ମାମଲାରେ ସ୍ୱାମୀ ଆରିଫ୍‌ଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଗତବର୍ଷ ଫେବୃୟାରୀ ୨୫ରେ ଆୟେଶା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ସ୍ୱାମୀଙ୍କ ପାଖକୁ ପଠାଇଥିଲେ, ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଏହାପରେ ପୋଲିସ ଆୟେଶାଙ୍କ ସ୍ୱାମୀ ଆରିଫ୍‌ଙ୍କୁ ରାଜସ୍ଥାନର ପାଲିରୁ ଗିରଫ କରିଥିଲା।

ଆୟେଶା ମୂଳତଃ ରାଜସ୍ଥାନର ହୋଇଥିବାବେଳେ ବିବାହ ପରେ ଅହମ୍ମଦାବାଦର ଭାତଭାରେ ରହୁଥିଲେ। ତେବେ ଆତ୍ମହତ୍ୟା ପୂର୍ବରୁ ସେ ଭିଡିଓ କରି କହିଥିଲେ, ‘ହ୍ୟାଲୋ, ମୋ ନାଁ ଆୟେଶା ଆରିଫ୍ ଖାନ୍। ମୁଁ ଯାହା କିଛି ବି କରିବାକୁ ଯାଉଛି, ମୋ ଇଚ୍ଛାରେ କରିବାକୁ ଯାଉଛି। ଏଥିରେ କାହାର ଚାପ ନାହିଁ। ଭାବି ନିଅନ୍ତୁ କି, ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଜୀବନ ଏତିକି ହିଁ ଥିଲା ଏବଂ ମୋତେ ଏତିକି ଜୀବନରେ ବହୁତ ଶାନ୍ତି ମିଳିଲା। ଆଉ ଡାଡି, କେତେ ଦିନ ପର୍ଯ୍ୟନ୍ତ ଆପଣ ଲଢ଼ିବେ? କେସ୍ ଉଠାଇ ନିଅନ୍ତୁ’।

ଆୟେଶା ଆହୁରି କହିଥିଲେ, ‘ପ୍ରେମ କରିବାର ଅଛି, ତ ଉଭୟ ପଟୁ କରନ୍ତୁ। କାରଣ, ଏକ ତରଫାରେ କିଛି ହାସଲ ହୋଇପାରେ ନାହିଁ। ପ୍ରେମ ତ ବିବାହ ପରେ ଅଧୁରା ରହିଯାଏ। ଏ ସୁନ୍ଦର ନଦୀ, ପ୍ରାର୍ଥନା କରୁଛି କି, ମୋତେ ତୋ ଦେହରେ ମିଶାଇ ଦେ ଏବଂ ମୋ ପଛପଟେ ଯିଏ ବି ଥାଉ, ଦୟାକରି ଅଧିକ ସମସ୍ୟା ସୃଷ୍ଟି କରିବନି। ମୁଁ ପବନ ଭଳି, ବାସ୍ ବହି ଚାଲିବାକୁ ଚାହୁଁଛି। କାହା ପାଇଁ ଅଟକନ୍ତୁ ନାହିଁ। ମୁଁ ଖୁସି ଅଛି କି, ଆଜିର ଦିନରେ ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଦରକାର ଥିଲା, ତାହା ମିଳିଗଲା ଏବଂ ମୋତେ ଯାହାକୁ ଯାହା କହିବାର ଥିଲା, କହି ସାରିଛି। ଧନ୍ୟବାଦ, ମୋତେ ପ୍ରାର୍ଥନାରେ ମନେ ରଖିବେ। ଜଣାନାହିଁ, ସ୍ୱର୍ଗପ୍ରାପ୍ତି ହେବ କି ନାହିଁ। ଚାଲ, ଅଲ୍‌ବିଦା’। ଆୟେଶାଙ୍କ ମୃତ୍ୟୁ ପରେ ଜଣାପଡ଼ିଥିଲା ଯେ ଘଟଣାଟି ଯୌତୁକଜନିତ। ଆୟେଶାଙ୍କ ବିବାହ ୨୦୧୮ରେ ରାଜସ୍ଥାନ ଜାଲୌରର ବାସିନ୍ଦା ୨୩ ବର୍ଷୀୟ ଆରିଫ୍‌ଙ୍କ ସହ ହୋଇଥିଲା। କିନ୍ତୁ ବିବାହ ପରଠାରୁ ତାଙ୍କୁ ଲଗାତାର ଯୌତୁକ ନିର୍ଯାତନା ଦିଆଯାଉଥିଲା।

ପୋଲିସ ମୁତାବକ, ଆରିଫ୍‌ଙ୍କର ରାଜସ୍ଥାନର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ନିଜ ସ୍ତ୍ରୀଙ୍କ ସାମ୍ନାରେ ଆରିଫ୍‌ ପ୍ରେମିକାଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିଲେ। ଏହି କାରଣରୁ ପ୍ରେଗ୍‌ନାନ୍ସି ସମୟରେ ଆରିଫ୍‌ଙ୍କ ବ୍ୟବହାରରେ ଆୟେଶା ଭାଙ୍ଗି ପଡ଼ିଥିଲେ। ସେ ଏକପ୍ରକାର ଡିପ୍ରେସନକୁ ଚାଲିଯାଇଥିଲେ। ଗର୍ଭରେ ହିଁ ତାଙ୍କ ପିଲାର ମୃତ୍ୟୁ ଘଟିଥିଲା। ଦୁଇ ଜଣଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ପ୍ରତିଦିନ ଝଗଡ଼ାରେ ଥକିପଡ଼ି ସେ ନଦୀକୁ ଡେଇଁ ଜୀବନ ହାରି ଦେଇଥିଲେ। ଆୟେଶାଙ୍କ ଆତ୍ମହତ୍ୟା ପରେ ସ୍ୱାମୀ ଆରିଫ୍‌ ଫେରାର ହୋଇଯାଇଥିଲେ। ସେହି ସମୟରେ ପରିବାର ଲୋକେ ପୋଲିସକୁ କହିଥିଲେ ଯେ ସେ ଏକ ବିବାହ ଭୋଜିକୁ ଯାଇଛନ୍ତି। ଏହାପରେ ଆରିଫ୍‌ଙ୍କ ଫୋନ୍‌କୁ ଟ୍ରାକ୍‌ କରି ପୋଲିସ ତାଙ୍କୁ ପାଲିରୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.