ମୁମ୍ବାଇ ବିମାନବନ୍ଦରରେ ହାଇ ଆଲର୍ଟ, ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ ସଦସ୍ୟ କଲ୍‌ କରିଥିବା ସୂଚନା

ମୁମ୍ବାଇ ବିମାନ ବନ୍ଦରରେ ହାଇ ଆଲର୍ଟ । ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଆସିଛି ଧମକପୂର୍ଣ୍ଣ କଲ୍‌ । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି। ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ ତରଫରୁ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିବା ଜଣାପଡିଛି। ଯାହା ପରେ ମୁମ୍ବାଇ ପୋଲିସ ପକ୍ଷରୁ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ଆଲର୍ଟ ମୋଡରେ ରଖାଯାଇଛି ।

ଖବର ମୁତାବକ, ଏୟାରପୋର୍ଟ ସେଣ୍ଟରକୁ ସୋମବାର ରାତି ୧୦ଟାରେ ଏକ ଧମପୂର୍ଣ୍ଣ କଲ୍‌ ଆସିଥିଲା। କଲ୍‌ରେ ଥିବା ବ୍ୟକ୍ତି ଜଣକ ନିଜର ନାମ ଇରଫାନ ଅହମଦ ଶେଖ ବୋଲି କହିଥିଲେ । ଆଉ ସେ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କୀ ସଂଗଠନର ସଦସ୍ୟ ବୋଲି ମଧ୍ୟ କହିଥିଲେ । ନିଜ ବିଷୟରେ କହିବା ପରେ ବ୍ୟକ୍ତି ଜଣକ କୋଡଓ୍ଵାର୍ଡ ବ୍ୟବହାର କରି ସନ୍ଦିଗ୍ଧ କଥାବାର୍ତ୍ତା କରିଥିଲେ । ଯାହାକୁ ବୁଝିବା ଅସମ୍ଭବ ଥିଲା ।

ଏହାପରେ ମୁମ୍ବାଇ ପୋଲିସକୁ ଖବର ଦିଆଯାଇଥିଲା । ଧମକପୂର୍ଣ୍ଣ କଲ୍‌ ଆସିବା ପରେ ଏୟାରପୋର୍ଟର ସମସ୍ତ ଏଜେନ୍ସୀକୁ ଆଲର୍ଟ କରାଯାଇଛି । ପୋଲିସ ଏହି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୫୦୫(୧) ଅଧିନରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରୁଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୩ ପେୃବଆରୀରେ କେରଳର ଜଣେ ମହିଳା ବେଙ୍ଗାଲୁରୁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବୋମାରେ ଉଡାଇଦେବା ଧକ ଦେଇଥିଲେ । ଯାହାପରେ ମହିଳାଙ୍କୁ ୧୧ ଦିନ ପାଇଁ ନ୍ୟାୟିକ ହେପାଜତରେ ନିଆଯାଇଥିଲା । ପୋଲିସ କହିବାନୁସାରେ, ମହିଳା ଜଣକ ବେଙ୍ଗାଲୁରୁରୁ କଲିକତା ଯାତ୍ରା କରୁଥିଲେ । ଇଣ୍ଡୋଗୋ ବିମାନରେ ଟିକେଟ ବୁକ୍‌ କରିଥିଲେ । ଏୟାରପୋର୍ଟରେ ଚେକିଂ ସମୟରେ ଅଧିକାରୀଙ୍କ ସହିତ ଯୁକ୍ତିତର୍କ ହୋଇଥଲା। ଯାହାପରେ ସେ ଏୟାରପୋର୍ଟ ଭିତରକୁ ଯାଇ ବିମାନବନ୍ଦରକୁ ବୋମାରେ ଉଡାଇଦେବା କଥା କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.