ଆମେରିକାରେ ବରଫ ହ୍ରଦ ଉପରେ ଚାଲୁଥିଲେ ୩ ଭାରତୀୟ, ହଠାତ୍‌ ବରଫ ଭାଙ୍ଗିଯିବାରୁ ଥଣ୍ଡା ପାଣିରେ ପଡ଼ି ସମସ୍ତଙ୍କ ମୃତ୍ୟୁ

ଆମେରିକାରେ ଆସିଥିବା ବରଫ ଝଡ଼ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏହି ଝଡ଼ରେ ଆମେରିକାବାସୀ ବେହାଲ ହୋଇପଡ଼ିଛନ୍ତି। ତାହାରି ଭିତରେ ଖବର ଆସିଛି ଯେ ଏଠାରେ ଏକ ଭୟଙ୍କର ଦୁର୍ଘଟଣାରେ ୩ ଭାରତୀୟଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆମେରିକାର ଏରିଜୋନାରେ ଏକ ବରଫାବୃତ୍ତ ହ୍ରଦ ଉପରେ ଚାଲିବା ସମୟରେ ହଠାତ୍‌ ଦୁର୍ଘଟଣା ଘଟିଥିଲା। ବରଫ ଭାଙ୍ଗିଯିବାରୁ ଜଣଙ୍କ ପରେ ଜଣେ ସମସ୍ତେ ଥଣ୍ଡା ପାଣି ଭିତରେ ଗଳି ପଡ଼ିଥିଲେ।

ଏହି ଘଟଣା ୨୬ ଡିସେମ୍ବର ସନ୍ଧ୍ୟାରେ ଏରିଜୋନାର କୋକୋନିନୋ କାଉଣ୍ଟିର ଭୁଡ୍‌ସ କେନନ ହ୍ରଦରେ ଘଟିଥିଲା। ସ୍ଥାନୀୟ ପୋଲିସ ମୃତଦେହଗୁଡ଼ିକୁ ଖୋଜି ବାହାର କରିବା ସହ ମୃତକମାନଙ୍କୁ ଚିହ୍ନଟ କରି ସାରିଛି। ମୃତକମାନଙ୍କ ମଧ୍ୟରେ ଦୁଇ ପୁରୁଷ ଏବଂ ଜଣେ ମହିଳା ଥିବା ଜଣାପଡ଼ିଛି। ସମସ୍ତ ମୃତକ ଭାରତୀୟ ବୋଲି ପୋଲିସ କହିଛି। ପୋଲିସ ସୂଚନା ମୁତାବକ, ଜଣଙ୍କ ମୃତଦେହ ମିଳିବାର ଦିନକ ପରେ ଆଉ ଦୁଇଜଣଙ୍କ ମୃତଦେହ ମିଳିଥିଲା।

କୁହାଯାଉଛି, ଆମେରିକାରେ ବରଫ ଝଡ଼ ଆର୍କଟିକ ଡିପ୍‌ ଫ୍ରିଜ୍‌ କାରଣରୁ ଆସିଛି। ଏହି ବରଫ ଝଡ଼ରେ ଏ ପର୍ଯ୍ୟନ୍ତ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ପ୍ରବଳ ଥଣ୍ଡା ଯୋଗୁ ଅନେକ ଅଞ୍ଚଳରେ ବିମାନ ଏବଂ ଟ୍ରେନ୍‌ ଚଳାଚଳକୁ ରଦ୍ଦ କରି ଦିଆଯାଇଛି। ଏତିକି ନୁହେଁ, ଭୀଷଣ ବରଫ ତୋଫାନ କାରଣରୁ ରାସ୍ତାଗୁଡ଼ିକ ବରଫ ଜମି ରହିଛି, ଯଦ୍ଦ୍ଵାରା ଯାତାୟାତ ବାଧାପ୍ରାପ୍ତ ହୋଇଛି।

ବର୍ତ୍ତମାନ ଆମେରିକାରେ ହଜାର ହଜାର ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ତୁଷାରପାତ । ବରଫ ଘେରରେ ଅଛନ୍ତି ୫ କୋଟିରୁ ଅଧିକ ଲୋକ । ପାରଦ ମାଇନସ ୫୭ ଡିଗ୍ରୀକୁ ଖସିଛି । ବରଫ ଝଡ଼ରେ ପାଖାପାଖି ୬୦ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ବରଫରେ ଘୋଡେଇ ହୋଇରହିଥିବା କାର ଭିତରୁ ଅଧିକାଂଶ ମୃତଦେହ ଉଦ୍ଧାର ହେଉଛି ।

ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଲୋକଙ୍କୁ ଜରୁରୀକାଳୀନ ସେବା ମିଳିପାରୁ ନାହିଁ । ଏବେ ବି ଅନେକ ଲୋକ ବରଫ ଝଡ଼ରେ ଫସିରହିଛନ୍ତି । ବରଫ ଝଡ଼ରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାମ ଚାଲିଛି । କେବଳ ନ୍ୟୁୟର୍କର ସିଟି ଅଫ ବୋଫାଲୋରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ବିମାନ ବାତିଲ ହୋଇଛି । ଏପଟେ ଜାପାନରେ ବି ବରଫ ଝଡ କମିବାର ନା ନେଉନାହିଁ । ୧୭ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ତୁଷାରପାତ ଯୋଗୁ ବିଦ୍ୟୁତ ସେବା ବ୍ୟାହତ ହୋଇଥିବାରୁ ହଜାର ହଜାର ଲୋକ ଅନ୍ଧାରରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.