UN ରେ କଶ୍ମୀରକୁ ନେଇ ଇମ୍ରାନଙ୍କ ‘କୁମ୍ଭୀର କାନ୍ଦଣା’, ଓଲଟା ଜବାବ୍ ଦେଲା ଭାରତ
ନୂଆଦିଲ୍ଲୀ : ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀର ଉପରେ କୁମ୍ଭୀର କାନ୍ଦଣା କରିଛନ୍ତି । ଇମ୍ରାନ ଖାନ କହିଛନ୍ତି ଯେ କଶ୍ମୀରର ଜନସଂଖ୍ୟା ପରିବର୍ତ୍ତନ କରିବାକୁ ଭାରତ ଚାହୁଁଛି । ଏହା ବ୍ୟତୀତ ଇମ୍ରାନ ଖାନ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନୀଙ୍କୁ ସହିଦ ବୋଲି କହିଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବଳ ଜାମ୍ମୁ କାଶ୍ମୀର ବିବାଦର ସମାଧାନ ଦ୍ୱାରା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ରହିବ ।
ତେବେ ତାଙ୍କ ଅଭିଭାଷଣରେ ଇମ୍ରାନ ଖାନ ମଧ୍ୟ ଆମେରିକା ଉପରେ ଆକ୍ରମଣ କରିଥିଲେ । ସେ କହିଛନ୍ତି ଯେ ଯେଉଁମାନେ ଆଫଗାନିସ୍ତାନ ପ୍ରସଙ୍ଗରେ ପାକିସ୍ତାନକୁ ଅଭିଶାପ ଦିଅନ୍ତି ସେମାନେ ବିଶ୍ଳେଷଣ କରିବା ଉଚିତ୍ । ୮୦ ଦଶକରେ ଆମେରିକା ଅଲ-କାଏଦା ପରି ମୁଜାହିଦ୍ଦିନ ସଂଗଠନଗୁଡ଼ିକୁ ତାଲିମ ଦେଇଥିଲା ।
ମିଳିତ ଜାତିସଂଘର ସାଧାରଣ ସଭାରେ (ୟୁଏନଜିଏ) ଇମ୍ରାନ ଖାନ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିଥିଲେ ଏବଂ ଅନ୍ତର୍ଜାତୀୟ ଫୋରମରୁ ଭାରତ ବିରୋଧରେ ପ୍ରଚାର ପ୍ରସାର କରିବାକୁ ଚେଷ୍ଟା କରିଥିଲେ । ମିଳିତ ଜାତିସଂଘରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ଇମ୍ରାନ ଖାନଙ୍କୁ ଦୃଢ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଛି । ପାକିସ୍ତାନ ଏକ ଆତଙ୍କବାଦ ଗଡ଼ । ଆତଙ୍କବାଦୀମାନେ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି । ଇମ୍ରାନ ଖାନ ବିନ୍ ଲାଡେନଙ୍କୁ ଗୌରବାନ୍ୱିତ କରିଛନ୍ତି।
ସୂଚନା ଯୋଗ୍ୟ ଯେ ବ୍ରିଟେନର ପାର୍ଟି ସାଂସଦ ବବ ବ୍ଲାକ୍ମାନ ଜାମ୍ମୁ କଶ୍ମୀରକୁ ନେଇ ଏକ ବଡ଼ ବିବୃତି ଦେଇଛନ୍ତି। ଭାରତୀୟ ସେନା କଶ୍ମୀରରୁ ମୁକୁଳିବା ମାତ୍ରେ ଆଫଗାନିସ୍ତାନ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ସାଂସଦ ବବ୍ ବ୍ଲାକମ୍ୟାନ୍ ମଧ୍ୟ ଧାରା 370 କୁ ହଟାଇବା ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ।