Below header

ଇନ୍ଦୋର ଅଗ୍ନିକାଣ୍ଡର ବଡ଼ ଖୁଲାସା: ସର୍ଟସର୍କିଟ ଯୋଗୁ ନୁହେଁ, ବରଂ ଏକତରଫା ପ୍ରେମର ‘ନିଆଁ’ ନେଲା ୭ ଜୀବନ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଇନ୍ଦୋରର ସ୍ବର୍ଣ୍ଣବାଗ ଅଞ୍ଚଳରେ ଶନିବାର ଦିନ ଏକ ୩ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ବିଳମ୍ବିତ ରାତିରେ ପୋଲିସ ଘଟଣାର ଅନୁସନ୍ଧାନ କରି ଏହାର ସତ୍ୟତାକୁ ପ୍ରକାଶ କଲାବେଳେ ସେମାନେ ଆହୁରି ଚକିତ ହୋଇଯାଇଥିଲେ। ଏହି ମାମଲାରେ ଅଭିଯୁକ୍ତ ମାନେ ପ୍ରାୟ ୬ ମାସ ପୂର୍ବରୁ ବିଲ୍ଡିଂରେ ଭଡା ଘରେ ରହୁଥିଲେ। ଏକପାଖିଆ ପ୍ରେମ ଏବଂ ଅର୍ଥ ବିବାଦ ହେତୁ ସଞ୍ଜୟ ଛଦ୍ମନାମ ଶୁଭମ୍ ଦୀକ୍ଷିତ ଏହି ଭୟଙ୍କର ଘଟଣା ଘଟାଇଥିଲେ।

ଇନ୍ଦୋର ପୋଲିସ କମିଶନର ହରିନାରାୟଣ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାଗଳ ପ୍ରେମିକ ଶୁଭମ୍ ପ୍ରଥମେ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଚାପ ପକାଇଥିଲେ ଏବଂ ଯୁବତୀ ଜଣଙ୍କ ବାରଣ କରିବାରୁ ସେ କ୍ରୋଧିତ ହୋଇ ଏହି ଭୟଙ୍କର ନିଆଁ ଲଗାଇଥିଲେ। ଏପରିକି ଯୁବତୀ ଯେଉଁ ବିଲ୍ଡିଂରେ ରହୁଥିଲେ ସେହି ବିଲ୍ଡିଂରେ ଥିବା ତାଙ୍କ ଗାଡ଼ିରେ ନିଆଁ ଲଗାଇଥିବା ଜଣାପଡିଛି । କିନ୍ତୁ ନିଆଁ ପୂରା ବିଲ୍ଡିଂରେ ବ୍ୟାପିଗଲା, ଯାହାଫଳରେ ଚାଲିଗଲା ୭ ଜଣ ଲୋକଙ୍କ ଜୀବନ ।

ଏହି ଅଗ୍ନିକାଣ୍ଡର ଶିକାର ହୋଇଥିବା ମହିଳାଙ୍କ ଅବସ୍ଥା ସ୍ୱାଭାବିକ ରହିଛି ବୋଲି ପୋଲିସ ତାଙ୍କ ସହ କଥା ହୋଇ ସୂଚନା ଦେଇଛି। ଏହି ମାମଲାକୁ ପ୍ରକାଶ କରିବାବେଳେ ପୋଲିସ କହିଛି ଯେ ଏହି ଘଟଣାରେ ସ୍କୁଟିରେ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ଫୋରେନସିକ୍ ଟିମ୍ ଏହାର ତୀକ୍ଷ୍ଣ ଅନୁସନ୍ଧାନ କରୁଛନ୍ତି। ଏହି ଅପରାଧ ଘଟାଇବା ପାଇଁ କିଛି ଜ୍ୱଳନ୍ତ ସାମଗ୍ରୀ ବ୍ୟବହୃତ ହୋଇଥିଲା । ବର୍ତ୍ତମାନ ହତ୍ୟା ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ କମିଶନର କହିଛନ୍ତି ଯେ ଏହି ମାମଲାରେ ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।

ପୂର୍ବରୁ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିବା କୁହାଯାଉଥିଲା, କିନ୍ତୁ ପୋଲିସ ଏହି ଅଗ୍ନିକାଣ୍ଡର ଖୁଲାସା କରିଛି । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ହିଁ ଏହି ଅଗ୍ନିକାଣ୍ଡ ହୋଇଥିଲା । ପ୍ରଥମେ ସର୍ଟ ସର୍କିଟରୁ ୩ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା କୁହାଯାଉଥିଲା । ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ, ୭ ଜଣ ଲୋକ ଜିଅନ୍ତା ଦଗ୍ଧ ହୋଇଗଲେ । ଏହା ସହ ୯ ଜଣ ଲୋକ ଗୁରୁତର ଆହତ ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ଗୁରୁତରଙ୍କୁ ଏମବାୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.