ମିଶନ ଚନ୍ଦ୍ରାୟନରେ ଲ୍ୟାଣ୍ଡରକୁ ନେଇ କ୍ଷୀଣ ହେଉଛି ଇସ୍ରୋର ଆଶା, ହାତରେ ଆଉ ୨୪ ଘଣ୍ଟା ସମୟ
ମିଶନ୍ ଚନ୍ଦ୍ରାୟନ-୨କୁ ନେଇ ଧୀରେ ଧୀରେ କ୍ଷୀଣ ହେଉଛି ଇସ୍ରୋର ଆଶା। ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ଏପର୍ଯ୍ୟନ୍ତ ସମ୍ଭବ ହୋଇ ନଥିବା ବେଳେ ଇସ୍ରୋ ହାତରେ ଆଉ ୨୪ ଘଣ୍ଟା ସମୟ ରହିଲା। କାରଣ ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ରାତି ହୋଇଯିବ। ସୁପ୍ତ ଅବସ୍ଥାରେ ଥିବା ଲ୍ୟାଣ୍ଡର ସହ ଯୋଗାଯୋଗ କରିବାର ଆସନ୍ତାକାଲି ଶେଷ ଦିନ। ତେଣୁ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ବିକ୍ରମ ସହ ସମ୍ପର୍କ ସ୍ଥାପନ ସମୟ ସରି ସରି ଆସୁଛି। ଆସନ୍ତାକାଲି ସୁଦ୍ଧା ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ ନହେଲେ, ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଓହ୍ଲାଇଥିବା ବିକ୍ରମ ସହ ଆଉ କେବେ ଯୋଗାଯୋଗ କରି ପାରିବ ନାହିଁ ଇସ୍ରୋ। ତଥାପି ଶେଷ ଉଦ୍ୟମ ଜାରି ରଖିଛନ୍ତି ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ,ଭୂପୃଷ୍ଠରେ ୧୪ ଦିନ ସହ ସମାନ। ଶନିବାରଠାରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ଆରମ୍ଭ ହେବ। ସୂର୍ଯ୍ୟ ଆଲୋକ ଆଉ ପଡ଼ିବ ନାହିଁ। ସେଠାକାର ତାପମାତ୍ରା ମାଇନସ୍ ୨୪୦ ଡିଗ୍ରୀ ସେଲସିୟସ୍ ହୋଇଯିବ। ଫଳରେ ଲ୍ୟାଣ୍ଡରରେ ଥିବା ସୌର ପ୍ୟାନେଲ୍ ଚାର୍ଜ ହେବ ନାହିଁ।