ବିହାରରେ ସାମ୍ବାଦିକଙ୍କୁ ହତ୍ୟା, ଦୁର୍ବୃତ୍ତ କବାଟ ବାଡ଼େଇଲେ, ଖୋଲିବା କ୍ଷଣି ମାରିଦେଲେ ଗୁଳି

ବିହାରରେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଅରରିଆ ଜିଲ୍ଲାରେ ଜଣେ ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତ ସାମ୍ବାଦିକ ହେଲେ ବିମଲ କୁମାର ଯାଦବ।

ବିହାରରେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଅରରିଆ ଜିଲ୍ଲାରେ ଜଣେ ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତ ସାମ୍ବାଦିକ ହେଲେ ବିମଲ କୁମାର ଯାଦବ। ସେ ଏଠାରେ ଏକ ଦୈନିକ ଖବରକାଗଜର ସାମ୍ବାଦିକ ଥିଲେ। ତେବେ ଗତ ଦୁଇ ବର୍ଷ ତଳେ ବିମଲଙ୍କ ଭାଇଙ୍କୁ ମଧ୍ୟ ଏହିପରି ହତ୍ୟା କରାଯାଇଥିଲା। ପୋଲିସ ଦୁର୍ବୃତ୍ତମାନଙ୍କୁ ଖୋଜାଖୋଜି କରୁଛି।

ସୂଚନା ମୁତାବକ, ଘଟଣା ଅରରିଆର ରାଣୀଗଞ୍ଜ ଅଞ୍ଚଳରେ ଘଟିଛି। ସ୍ଥାନୀୟ ସାମ୍ବାଦିକ ବିମଲ କୁମାର ଯାଦବଙ୍କୁ ଶୁକ୍ରବାର ସକାଳେ ଦୁର୍ବୃତ୍ତ ଗୁଳି ମାରିଛନ୍ତି। ଦୁର୍ବୃତ୍ତମାନେ ହଠାତ୍‌ ସକାଳେ ପହଞ୍ଚି ଘରର କବାଟ ବାଡ଼େଇଥିଲେ। ବିମଲ ଯେମିତି କବାଟ ଖୋଲିଥିଲେ, ସେହି ସମୟରେ ସେମାନେ ତାଙ୍କୁ ଗୁଳି ମାରିଥିଲେ।

ପୋଲିସ ଅନୁସାରେ, ଦୁଇ ବର୍ଷ ତଳେ ବିମଲଙ୍କ ସରପଞ୍ଚ ଭାଇଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ବିମଲ ଉକ୍ତ ମାମଲାର ମୁଖ୍ୟ ସାକ୍ଷୀ ଥିଲେ। ଆଶଙ୍କା କରାଯାଉଛି ଯେ ମୁଖ୍ୟ ସାକ୍ଷୀ ଥିବାରୁ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛନ୍ତି। ପରିବାର ଲୋକଙ୍କ କହିବା ହେଲା, ବିମଲଙ୍କୁ ଅନେକ ବାର କୋର୍ଟରେ ସାକ୍ଷ୍ୟ ନ ଦେବାକୁ କୁହାଯାଇଥିଲା। ଏହାସତ୍ତ୍ୱେ କୋର୍ଟରେ ଶୁଣାଣି ସମୟରେ ବିମଲ ନିଜ ଭାଇଙ୍କ ହତ୍ୟାକାରୀଙ୍କ ବିରୋଧରେ ସାକ୍ଷ୍ୟ ଦେଇଥିଲେ।

ବର୍ତ୍ତମାନ ପୋଲିସ ବିମଲଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ପରିବାରରେ ପତ୍ନୀ, ପୁଅ ଓ ଝିଅ ଅଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି।