ଦିଲ୍ଲୀରେ ପୁଣି ହିଟ୍ ଆଣ୍ଡ ରନ୍ ମାମଲା : ୩୫୦ ମିଟର ଯାଏ ସ୍କୁଟରକୁ ଘୋଷାଡି ନେଲା କାର୍, ୨ ମୃତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଘଟି ଯାଇଛି ଆଉ ଏକ ହିଟ ଆଣ୍ଡ ରନ୍ ମାମଲା । ଗୋଟିଏ କାର୍ ପୁଣି ଥରେ ଏକ ସ୍କୁଟରକୁ ଧକ୍କା ଦେଇ ପ୍ରାୟ ୩୫୦ ମିଟର ଯାଏ ଘୋଷାଡି ନେଇଛି । ଫଳରେ ସ୍କୁଟିରେ ଥିବା ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଜାନୁଆରୀ ୨୬ ତାରିଖ ରାତିରେ ପ୍ରିରନା ଛକ ଓ କହ୍ନେୟା ନଗର ମଧ୍ୟରେ ଘଟିଥିଲା ।
ପୋଲିସ ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସ୍କୁଟିକୁ ଧକ୍କା ଦେଇ ପ୍ରାୟ ୩୫୦ ମିଟର ଯାଏ ଘୋଷାଡି ନେଇଥିଲା । ଦୁର୍ଘଟଣାରେ ସ୍କୁଟିର ଦୁଇ ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟିରେ ବସିଥିବା ୨ ଜଣ ତଳେ ପଡିଯାଇଥିଲେ ।
ଏହାପରେ ସେଥିରୁ ଜଣେ କାର ବୋନେଟରେ ପଶିଯାଇଥିଲେ ଓ ପ୍ରାୟ ୩୫୦ ମିଟର ଯାଏ ଘୋଷାଡି ହୋଇ ଯାଇଥିଲେ । ପିସିଆର୍ ଭ୍ୟାନ ଓଭରଟେକ କରି କାରଟିକୁ ଅଟକାଇବା ବେଳକୁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଥିଲା । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଚିକିତ୍ସିତ ହେବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । କାରରେ ଥିବା ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।