ସୁଧୁରୁଛି କେରଳ ପରିସ୍ଥିତି

ସୁଧୁରୁଛି କେରଳ ପରିସ୍ଥିତି। ବର୍ଷା ଛାଡ଼ିବା ପରେ ଧୀରେ ଧୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ଉଦ୍ଧାର କାମ ସରି ଆସୁଥିବା ବେଳେ ବିପନ୍ନଙ୍କ ଥଇଥାନ ଓ ରିଲିଫ କାମକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟ, ବିଜୁଳି, ପାନୀୟ ଜଳ ବ୍ୟବସ୍ଥା, ଏଟିଏମ୍ କିଭଳି କାର୍ୟ୍ୟକ୍ଷମ ହେବ ସେନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ୟ୍ୟ ଆରମ୍ଭ ହୋଇଛି । ପ୍ରଭାବିତଙ୍କୁ ସଂକ୍ରମଣ ରୋଗ ବ୍ୟାପିବା ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଛନ୍ତି ସରକାର । କେରଳକୁ ଚାରିଆଡୁ ପହଞ୍ଚୁଛି ରିଲିଫ ସାମଗ୍ରୀ । ସେହିପରି ପାଣି ଛାଡୁଥିବା ଅଞ୍ଚଳର ଲୋକେ ଏବେ ଆଶ୍ରୟ ସ୍ଥଳୀରୁ ଘରକୁ ଫେରୁଛନ୍ତି । ନିଜ ନିଜ ଘରୁ ପାଣି କାଦୁଅକୁ ସଫା କରୁଛନ୍ତି ବନ୍ୟା ବିପନ୍ନ । କେରଳକୁ ୟୁଏଇ ଘୋଷଣା କରିଥିବା ୭ଶହ କୋଟି ଟଙ୍କା ସହାୟତା ନେବାକୁ କେନ୍ଦ୍ର ମନା କରିବା ପରେ ରାଜନୀତି ବି ତେଜିଛି ।

ପ୍ରତିକ୍ରିୟାରେ କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ କହିଛନ୍ତି, ୟୁଏଇକୁ ବିଦେଶୀ ରାଷ୍ଟ୍ର ଭାବରେ ବିବେଚନା କରାନଯାଉ । କାରଣ ୟୁଏଇ ବିକାଶରେ ବହୁ ଭାରତୀୟ, ବିଶେଷ କରି କେରଳ ନାଗରିକଙ୍କ ଭୂମିକା ରହିଛି । ଏକଥା ୟୁଏଇ ସରକାର ବି ସ୍ୱୀକାର କରିଛନ୍ତି । ଭାରତର ଆଇନ ବ୍ୟବସ୍ଥା ଅନୁସାରେ ୨୦୦୪ରୁ ବିଦେଶୀ ରାଷ୍ଟ୍ରଠାରୁ ବିପର୍ୟ୍ୟୟ ସହାୟତା ନେବା ବନ୍ଦ କରିଛନ୍ତି କେନ୍ଦ୍ର ସରକାର । ତେଣୁ ୟୁଏଇର ସହାୟତାକୁ ଗ୍ରହଣ କରି ନପାରନ୍ତି କେନ୍ଦ୍ର ସରକାର । ସେପଟେ କେରଳ କ୍ଷୟକ୍ଷତି ଭରଣା ନେଇ କେନ୍ଦ୍ର ନିକଟରେ ୨ ହଜାର କୋଟି ଟଙ୍କାର ସହାୟତା ଦାବି କରିବେ କେରଳ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.