ଆହତ ପରେ ଆକ୍ସନ ମୋଡ୍‌ରେ ମମତା ବାନାର୍ଜୀ, ଆଜି ହ୍ଵିଲଚେୟାରରେ ବସି କରିବେ ପଦଯାତ୍ରା, TMCର ଘୋଷଣା ପତ୍ର ଟଳିଲା

ତୃଣମୂଳ କଂଗ୍ରେସ(TMC) ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ପରେ ପ୍ରଥମ ଥର ସାର୍ବଜନୀନ ରୂପେ ସାମ୍ନାକୁ ଆସିଛନ୍ତି। ସେ ଆଜି ରବିବାର ହ୍ଵିଲଚେୟାରରେ ବସିି ପଦଯାତ୍ରା କରିବେ। ଦ୍ୱିପ୍ରହର ୧ଟାରୁ ମମତା କୋଲକାତାରେ ପଦଯାତ୍ରା କରିବେ। ଏହି ସମୟରେ ସେ ଦକ୍ଷିଣ କୋଲକାତାର ମେୟୋ ରୋଡ୍‌ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳରୁ ପଦଯାତ୍ରାରେ ବାହାରିବେ। ଏହାସହିତ ଟିଏମ୍‌ସି ନିଜ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିଛି। ଦଳ ଆଜି ନିଜ ଘୋଷଣାପତ୍ର ଜାରି କରିବ ନାହିଁ। ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି।

ପ୍ରଥମ ଥର ମମତା ବାନାର୍ଜୀ ମଞ୍ଚ ଉପରେ ହ୍ଵିଲଚେୟାରରେ ନଜର ଆସିବେ। ଏହାପରେ ୧୫ ମାର୍ଚ୍ଚରୁ ଜନସଭା ଆରମ୍ଭ କରିବେ। ୧୫ରେ ପରୁଲିଆ, ୧୬ରେ ବାଙ୍କୁରା ଏବଂ ୧୭ ମାର୍ଚ୍ଚରେ ଝାରଗ୍ରାମରେ ର‍୍ୟାଲି କରିବେ। ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଘାତପ୍ରାପ୍ତ ହେବା ନେଇ ବିଶେଷ ପର୍ଯ୍ୟବେକ୍ଷକ ଟିମ୍‌ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ଦେଇଥିଲା। ଏଥିରେ କୁହାଯାଇଥିଲା କି, ମୁଖ୍ୟମନ୍ତ୍ରୀ ଦୁର୍ଘଟଣା ଯୋଗୁ ଆହତ ହୋଇଛନ୍ତି। ତେବେ ସେ କଡ଼ା ସୁରକ୍ଷା ମଧ୍ୟରେ ଥିଲେ। ପର୍ଯ୍ୟବେକ୍ଷକ ଟିମ୍‌ କୌଣସି ପ୍ରକାର ଆକ୍ରମଣ ଆଶଙ୍କାକୁ ଏଡାଇ ଦେଇଥିଲେ। ସେପଟେ ମୁଖ୍ୟ ସଚିବ ଆଲାପନ ବାନ୍ଦୋପାଧ୍ୟାୟ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ନିଜର ନୂଆ ଯାଞ୍ଚ ରିପୋର୍ଟ ଦେଇଛନ୍ତି।

କୃଷକ ନେତାଙ୍କ କ୍ୟାମ୍ପେନ୍‌ ଜାରି

ବଙ୍ଗ ନିର୍ବାଚନରେ କୃଷକ ଆନ୍ଦୋଳନ ପଶିଛି। ଚାଷୀ ନେତା ରାକେଶ ଟିକୈତଙ୍କର ଆଜି ବଙ୍ଗ ଯାତ୍ରାର ଦ୍ୱିତୀୟ ଦିନ। ଏଠାରେ ସେ ସିଙ୍ଗୁରରେ ଜନସଭା କରିବେ। ଏଥି ପୂର୍ବରୁ ନନ୍ଦୀଗ୍ରାମରେ ଟିକୈତ ବିଜେପି ବିରୋଧରେ ଭୋଟ କରିବାକୁ ଅପିଲ କରିଥିଲେ। ଏହି ସମୟରେ ସେ ‘ଖେଲା ହୋବେ’ର ହୁଙ୍କାର ମଧ୍ୟ ଭରିଥିଲେ।

ବଙ୍ଗ ଗସ୍ତରେ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଆଜି ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ସେ ଖଡ଼ଗପୁରରେ ରୋଡ୍‌ ଶୋ’ କରିବେ। ଏଥି ପୂର୍ବରୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପିର ସିଇସି ବୈଠକ ଚାଲିଥିଲା, ଯେଉଁଥିରେ ଦ୍ୱିତୀୟ ପର୍ଯ୍ୟାୟ ଆଶାୟୀଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ଟାଣୁଆ ନେତା ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.