Z ପ୍ଲସ୍‌ ସୁରକ୍ଷା, ୧୮ ଗାଡ଼ି, ଆଡ୍‌ଭାନ୍ସ ପାୟଲଟ କାର୍‌…ତଥାପି ମମତାଙ୍କ ଉପରେ ଆକ୍ରମଣ? ଭାଜପା ଉଠାଇଲା ପ୍ରଶ୍ନ

ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା) କେତେକ ଗୁରୁତର ଅଭିଯୋଗ ଆଣିଛି। ମମତା ବାନାର୍ଜୀଙ୍କ ସୁରକ୍ଷାରେ ନିୟୋଜିତ ଏଡିଜି ସ୍ତରର ଦୁଇ ଅଧିକାରୀ ବିବେକ ସହାୟ ଓ ଜ୍ଞାନବନ୍ତ ସିଂଙ୍କ ଦାୟିତ୍ୱହୀନତାକୁ ନେଇ ଭାଜପା ପ୍ରଶ୍ନ ଉଠାଇଛି। ଯଦିଓ ମମତା ବାନାର୍ଜୀ ସ୍ଥାନୀୟ ପୋଲିସ ଅଧୀକ୍ଷକଙ୍କ ଉପରେ ଅଭିଯୋଗ ଆଣି କହିଥିଲେ କି, ଘଟଣାସ୍ଥଳରେ କୌଣସି ବି ସ୍ଥାନୀୟ ପୋଲିସ କର୍ମୀ ଉପସ୍ଥିତ ନ ଥିଲେ। ତେବେ ଭାଜପାର କହିବା ହେଲା, ଘଟଣା ଘଟିବା ସମୟରେ ଡିଏମ୍‌ ଓ ଏସ୍‌ପି ମମତାଙ୍କ ସମର୍ଥନରେ ଭିଡ଼ ଜୁଟାଇବା ପାଇଁ ଥାନାରେ ମିଟିଂ କରୁଥିଲେ।

ଭାଜପା ଯେଉଁ ଦୁଇ ଆଇପିଏସ୍‌ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠାଇଛି, ସେମାନଙ୍କ ମଧ୍ୟରୁ ବିବେକ ସହାୟ ସୁରକ୍ଷା ନିର୍ଦ୍ଦେଶକ ଥିବା ବେଳେ ଜ୍ଞାନବନ୍ତ ସିଂ ସୁରକ୍ଷା ଅତିରିକ୍ତ ନିର୍ଦ୍ଦେଶକ ଅଛନ୍ତି। ଦୁଇଜଣ ଏଡିଜି ର‍୍ୟାଙ୍କର ଅଫିସର। ଏହି ମାମଲାରେ ନିର୍ବାଚନ ଆୟୋଗ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ତଲବ କରିଛି। ଭାଜପା କହିଛି, ବିବେକ ସହାୟ ସୁରକ୍ଷା ପ୍ରଭାରୀ ଅଧିକାରୀ ଥିବା ବେଳେ ଜ୍ଞାନବନ୍ତ ସିଂ ଟିମ୍‌ର ସଦସ୍ୟ। ନିର୍ବାଚନ ଘୋଷଣା ପରଠାରୁ ଦୁଇ ଅଧିକାରୀଙ୍କୁ ମମତାଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ମମତାଙ୍କ ପାଖକୁ ଅନ୍ୟ ସ୍ଥାନୀୟ ପୋଲିସ ଯିବାର ଅନୁମତି ନାହିଁ। ଏଥି ପୂର୍ବରୁ ନିର୍ବାଚନ ଆୟୋଗ ଡିଜିପି ବୀରେନ୍ଦ୍ରଙ୍କୁ ହଟାଇ ଦେଇଥିଲା। ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ପାର୍ଥ ଚଟାର୍ଜୀ ଗତକାଲି କହିଥିଲେ, ବୀରେନ୍ଦ୍ରଙ୍କୁ ତାଙ୍କ ପଦରୁ ହଟାଯିବା ପରେ ହିଁ ଏହି ଘଟଣା ଘଟିଛି।

ଭାଜପାର କହିବା ହେଲା, ମମତାଙ୍କ ବାନାର୍ଜୀଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ମୋଟ ୧୮ଟି ଗାଡ଼ି ରହୁଛି। ୪ ପାୟଲଟ୍‌ କାର୍‌ ସବୁଠୁ ଆଗରେ ରହିଥାଏ। ଏହାପରେ ଆଡ୍‌ଭାନ୍ସ ସିକ୍ୟୁରିଟି କାର୍‌, ଯେଉଁଥିରେ ଡିଏସ୍‌ପି ସ୍ତରର ଅଧିକାରୀ ରହିଥାଆନ୍ତି। ପୁଣି ଆଡ୍‌ଭାନ୍ସ ପାୟଲଟ୍‌ କାର୍‌ରେ ଜିଲା ପୋଲିସର ସବ୍‌ ଇନ୍ସପେକ୍ଟର ର‍୍ୟାଙ୍କର ଅଧିକାରୀ ରୁହନ୍ତି। ପୁଣି ପାୟଲଟ କାର୍‌, ଏଥିରେ ମଧ୍ୟ ଜିଲା ପୋଲିସ ସବ୍‌ ଇନ୍ସପେକ୍ଟର ଥାଆନ୍ତି। ଏହାପରେ ଡାଇରେକ୍ଟ ଅଫ୍‌ ସିକ୍ୟୁରିଟି ଗାଡ଼ି, ଭିଆଇପି କାର୍‌, ଏସ୍କର୍ଟ ୧ ଏବଂ ୨, ଜ୍ୟାମର, ସ୍ପେୟର ଭିଆଇପି କାର୍‌(ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଖରାପ ହୋଇଗଲେ ଏହାକୁ ତୁରନ୍ତ ବ୍ୟବହାର କରିବା) ରହିଥାଏ।

ଏତଦ୍‌ ବ୍ୟତୀତ ପଛରେ ପ୍ରଧାନ ସୁରକ୍ଷାକର୍ମୀ ଗାଡ଼ି ବି ରହିଥାଏ। ଏହାପରେ ଏସ୍କର୍ଟ କାର୍‌, ଇଣ୍ଟରସେପ୍‌ଶର ଦୁଇ ଗାଡ଼ି, ମହିଳା ପୋଲିସ (ଲେଡି କନଷ୍ଟେବଳ) ଏବଂ ଆମ୍ବୁଲାନ୍ସ ରହିଥାଏ। ପୁଣି ୩ ଅତିରିକ୍ତ ସୁରକ୍ଷା କର୍ମୀ ଗାଡ଼ି, ଟେଲ୍‌ କାର ଏବଂ ଶେଷରେ ସ୍ପେୟର ଇଣ୍ଟରସେପ୍‌ଶନ କାର୍‌। ତେଣୁ ଏଠି ଭାଜପା ପ୍ରଶ୍ନ ଉଠାଇଛି କି, ଏତେ କଡ଼ାକଡ଼ି ସୁରକ୍ଷା ବଳୟ ସତ୍ତ୍ୱେ କେମିତି ଏହି ଘଟଣା ଘଟିଲା?

ସେପଟେ ଏହି ମାମଲାରେ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ଦାସ ନକବୀ କହିଛନ୍ତି, ନିର୍ବାଚନ ଆୟୋଗ ପୂରା ଘଟଣାର ଯାଞ୍ଚ କରୁଛି ଏବଂ ସତ୍ୟାସତ୍ୟ ସାମ୍ନାକୁ ଆସିବ। କିନ୍ତୁ ଗୋଟିଏ କଥା ସତ ଯେ ଏହା ପୁରୁଣା ତଥା ସବୁଠାରୁ ଏକ୍ସପାୟର ଫର୍ମୂଲା। ଏହାକୁ ମମତା ବାନାର୍ଜୀଙ୍କ ତରଫରୁ ଉପଯୋଗ କରାଯାଉଛି। ସେ କହିଛନ୍ତି କି, ଏହି ଏକ୍ସପାୟରୀ ଔଷଧରେ କାମ ଚଳି ନ ଥାଏ। ଅର୍ଥାତ୍‌ କେନ୍ଦ୍ର ମନ୍ତ୍ରୀଙ୍କ କହିବା ହେଲା, ମମତା ବାନାର୍ଜୀ ପୁରୁଣା ଫର୍ମୂଲା ଆପଣାଇଛନ୍ତି। ଅନୁକମ୍ପାମୂଳକ ଭୋଟ ପାଇବା ପାଇଁ ଟିଏମ୍‌ସି ଜାଣିଶୁଣି ଏଭଳି ଯୋଜନା କରିଥାଇପାରେ ବୋଲି କୁହାଯାଉଛି, ଯାହାକୁ ନେଇ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.