ସୁମାତ୍ରା ଦ୍ୱୀପରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ, ଆଶ୍ରୟସ୍ଥଳୀ ଗଲେ ୮୦,୦୦୦ରୁ ଅଧିକ ଲୋକ

ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୪ଟି ଘର କ୍ଷତିଗ୍ରସ୍ତ ହୋଇଛି । ୮୦,୦୦୦ରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ସରକାରୀ ଆଶ୍ରୟସ୍ଥଳୀକୁ ପଠାଇ ଦିଆଯାଇଛି ।

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ପ୍ରବଳ ବର୍ଷା ପରେ ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଅନେକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ମୁଖ୍ୟ ଡୋନି ୟୁସରିଜଲ୍ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ ଟନ୍‌ ଟନ୍ ମାଟି, ପଥର ଏବଂ ଉପୁଡ଼ି ପଡ଼ିଥିବା ଗଛ ଏକ ପର୍ବତ ଉପରୁ ଖସି ନଦୀ ନିକଟରେ ପହଞ୍ଚିଥିଲା । ଏହାପରେ ଅନେକ କୂଳ ଭାଙ୍ଗିଯିବା ସହ ପଶ୍ଚିମ ସୁମାତ୍ରା ପ୍ରଦେଶର ପେସିସିର୍ ସେଲାଟନ ଜିଲ୍ଲାର ପାର୍ବତ୍ୟ ଗାଁଗୁଡ଼ିକରେ ବନ୍ୟାପାଣି ମାଡ଼ିଆସିଥିଲା । ଏଥିଯୋଗୁ ଆଖାପାଖରେ ରହୁଥିବା ଲୋକଙ୍କ ମଧ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଙ୍କ ସୂଚନା ମୁତାବକ, ଏହି ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି ।

ବନ୍ୟାରେ ଅତି କମରେ ଦୁଇ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି ଏବଂ ଉଦ୍ଧାର କର୍ମଚାରୀମାନେ ନିଖୋଜ ଥିବା ୭ ଜଣଙ୍କୁ ଖୋଜାଖୋଜି କରୁଛନ୍ତି । ସୂଚନା ମୁତାବକ, ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୪ଟି ଘର କ୍ଷତିଗ୍ରସ୍ତ ହୋଇଛି । ୮୦,୦୦୦ରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ସରକାରୀ ଆଶ୍ରୟସ୍ଥଳୀକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.