ବିହାରରେ ଉତ୍ପାଦନ ହେଲା ମ୍ୟାଜିକ ଚାଉଳ, ଚାଷ କରି ଲାଭରେ ରହୁଛନ୍ତି ଚାଷୀ

ମ୍ୟାଜିକ ଚାଉଳ ଆମ ଭାରତରେ ଉତ୍ପାଦନ କରାଯାଉଛି । ବିହାରର ପୂର୍ବ ଚମ୍ପାରନରେ ମ୍ୟାଜିକ୍ ଚାଉଳ ଉତ୍ପାଦନ କରାଯାଉଥିବା ଜଣା ପଡ଼ିଛି । ଆସାମର ଉତ୍ପାଦନ କରାଯାଉଥିବା ମ୍ୟାଜିକ ଚାଉଳ ପ୍ରୟାଗ ଦେବ ସିଂ ବିହାରରେ ଉତ୍ପାଦନ କରୁଛନ୍ତି ।

ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଚାଉଳର ନାମ ଶୁଣିଥିବେ ଏବଂ ସେଗୁଡିକ ନିଶ୍ଚୟ ଖାଇଥିବେ । ଘରେ ପ୍ରସ୍ତୁତ ହେଉଥିବା ଚାଉଳରୁ ଆରମ୍ଭ କରି ବିବାହ କିମ୍ବା କୌଣସି କାର୍ଯ୍ୟକ୍ରମରେ ବାସୁମତି ଚାଉଳର ସ୍ବାଦ ମଧ୍ୟ ଆପଣ ନିଶ୍ଚିତ ଚାଖିଥିବେ । ସାଧାରଣ ଭାବେ ଚାଉଳକୁ ଗରମ ପାଣିରେ ରନ୍ଧାଯାଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଚାଉଳ ବିଷୟରେ କହିବାକୁ ଯାଉଛୁ, ଯାହା ଗରମ ପାଣି ବଦଳରେ ଥଣ୍ଡା ପାଣିରେ ପ୍ରସ୍ତୁତ କରିହେବ । ଆପଣଙ୍କୁ କଥାଟି ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏପରି ମ୍ୟାଜିକ ଚାଉଳ ଆମ ଭାରତରେ ଉତ୍ପାଦନ କରାଯାଉଛି । ବିହାରର ପୂର୍ବ ଚମ୍ପାରନରେ ମ୍ୟାଜିକ୍ ଚାଉଳ ଉତ୍ପାଦନ କରାଯାଉଥିବା ଜଣା ପଡ଼ିଛି । ଗୋପୀ ଚାପ ପଞ୍ଚାୟତର ସାଗର ଚୁରାମନ ଗାଁର ବାସିନ୍ଦା ପ୍ରୟାଗ ଦେବ ସିଂ ଏହି ଚାଉଳ ଉତ୍ପାଦନ କରୁଛନ୍ତି । ଆସାମର ଉତ୍ପାଦନ କରାଯାଉଥିବା ମ୍ୟାଜିକ ଚାଉଳ ସେ ବିହାରରେ ଉତ୍ପାଦନ କରୁଛନ୍ତି । ସେ ନିଜ କ୍ଷେତରେ ମ୍ୟାଜିକ୍ ଧାନ ଚାଷ କରୁଛନ୍ତି । ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ସେଠାକାର ଅଧିକାଂଶ କୃଷକ ମ୍ୟାଜିକ୍ ଚାଉଳ ଚାଷ କରିବା ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ଆସାମର ବ୍ରହ୍ମପୁତ୍ର ଉପତ୍ୟକାରେ ବହୁ ପରିମାଣରେ ଉତ୍ପାଦନ କରାଯାଉଥିବା ‘ବୋକା-ଚୋକୁଓ୍ଵା ଚାଉଳ’ କୁ ମ୍ୟାଜିକ ଚାଉଳ କୁହାଯାଏ । ଏହି ଚାଉଳକୁ ଭାରତ ସରକାରଙ୍କ ଠାରୁ ଜିଆଇ ଟ୍ୟାଗ୍ ମିଳିଛି । ମ୍ୟାଜିକ୍ ଚାଉଳର ବିଶେଷତ୍ୱ ହେଉଛି ଏହାକୁ ଥଣ୍ଡା ପାଣିରେ ଏକ ଘଣ୍ଟା ରଖିଲେ ଏହା ସାଧାରଣ ଚାଉଳ ପରି ଭାତ ହୋଇଯାଏ ।
ପ୍ରୟାଗ ଦେବ ସିଂଙ୍କ କହିବା ଅନୁସାରେ, ବିହାରର ଲୋକମାନେ ଚୂଡ଼ାରେ ପାଣି, ଗୁଡ଼, ଦହି ମିଶାଇ ଖାଇଥାନ୍ତି । ଠିକ ସେହିପରି ମ୍ୟାଜିକ ଚାଉଳରେ କ୍ଷୀର, ଦହି, ଘିଅ ମିଶାଇ ଆରାମରେ ଖାଇହେବ । ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ଏହି ଚାଉଳରେ ଫାଇବରର ପରିମାଣ ଅଧିକ ରହିଥାଏ । ତିନି ଦିନ ମ୍ୟାଜିକ୍ ଚାଉଳ ଖାଇବା ପରେ ଚତୁର୍ଥ ଦିନରେ ଶରୀରରେ ଏକ ବିଶେଷ ଶକ୍ତି ଅନୁଭବ ହୋଇଥାଏ ।

ତେବେ ଆପଣ ଜାଣି ରଖନ୍ତୁ ଆସାମର ବ୍ରହ୍ମପୁତ୍ର ଉପତ୍ୟକାରେ ମ୍ୟାଜିକ୍ ଧାନ ଚାଷ କରାଯାଏ । ଫସଲ ପ୍ରସ୍ତୁତ କରିବାକୁ ୧୮୦ ଦିନ ସମୟ ଲାଗେ । ଏହାକୁ ତଳୁଆ ଜମିରେ ରୋପଣ କରାଯାଏ, ଯାହା ଦ୍ୱାରା ଏହି ଧାନକୁ ସବୁବେଳେ ଜଳ ମିଳିଥାଏ । ବିହାର ବିଷୟରେ କହିବାକୁ ଗଲେ ଏଠାରେ ଏଭଳି ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ସେହି ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ମ୍ୟାଜିକ୍ ଚାଉଳ ଉତ୍ପାଦନ କରିବା ଦ୍ୱାରା କୃଷକମାନଙ୍କ ପାଇଁ ଲାଭ ହୋଇଥାଏ । ବିହାର ଜମିରେ ଉତ୍ପାଦନ କରାଯାଉଥିବା ଏହି ମ୍ୟାଜିକ୍ ଚାଉଳ ମୋଟା ହୋଇଥାଏ । ବଜାରରେ ଏହାର କିଲୋଗ୍ରାମ ପ୍ରତି ମୂଲ୍ୟ ୪୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.