ଅଙ୍କିତା ହତ୍ୟା ମାମଲାରେ ଅଯୋଧ୍ୟା ମହନ୍ତଙ୍କ ବିବାଦୀୟ ବୟାନ; କହିଲେ, ‘ଅଭିଯୁକ୍ତକୁ ପେଟ୍ରୋଲ ଢାଳି ମାରିଦେଲେ ମିଳିବ ୧୧ ଲକ୍ଷ ଟଙ୍କା ପୁରସ୍କାର’

ଝାଡ଼ଖଣ୍ଡର ଦୁମକା ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଆଡ଼ୁ ଆକ୍ରୋଶ ଦେଖା ଦେଇଛି। ଏବେ ବି ବୟାନବାଜି ଜାରି ରହିଛି। ଏହି ମାମଲାରେ ବର୍ତ୍ତମାନ ଅଯୋଧ୍ୟା ହନୁମାନଗଡ଼ିର ମହନ୍ତ ରାଜୁ ଦାସ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଏକ ଘୋଷଣା କରି କହିଛନ୍ତି କି, ଅଙ୍କିତା ହତ୍ୟା ମାମଲାର ଅଭିଯୁକ୍ତ ଶାହରୁଖଙ୍କୁ ଯିଏ ବି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବ, ସେ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିବେ।

ଅଯୋଧ୍ୟାସ୍ଥିତ ହନୁମାନଗଡ଼ିର ମହନ୍ତ ରାଜୁ ଦାସ ଶନିବାର ଏହି ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ କହିବା ହେଲା, ଝାଡ଼ଖଣ୍ଡର ଏକ ସାଧାରଣ ପରିବାରର ଅଙ୍କିତା ମୃତ୍ୟୁ ବେଳେ କହିଥିଲେ କି, ଯେମିତି ମୁଁ ଯନ୍ତ୍ରଣାରେ ଛଟପଟ ହୋଇ ମରୁଛି, ସେମିତି ତାକୁ ମଧ୍ୟ ଦଣ୍ଡ ମିଳୁ। ତେଣୁ ଯିଏ ବି ଅଭିଯୁକ୍ତ ଶାହରୁଖଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିବ, ସେ ତାଙ୍କୁ ନିଜ ତରଫରୁ ୧୧ ଲକ୍ଷ ଟଙ୍କା ପୁରସ୍କାର ଦେବେ।

ମହନ୍ତ ରାଜୁ ଦାସ ଆହୁରି କହିଥିଲେ, ‘ହିନ୍ଦୁ ସଂଗଠନକୁ ମୁଁ ଅପିଲ୍‌ କରୁଛି କି, ଅଙ୍କିତାଙ୍କ ପରି ଭଉଣୀଙ୍କୁ ନ୍ୟାୟ ମିଳି ନାହିଁ, ତେଣୁ ମୁଁ ଘୋଷଣା କରିଛି ଯେ ଯେଉଁ ବ୍ୟକ୍ତି ପେଟ୍ରୋଲ ଢାଳି ଶାହରୁଖଙ୍କୁ ହତ୍ୟା କରିବ, ତାଙ୍କୁ ୧୧ ଲକ୍ଷ ଟଙ୍କା ଦେବି’।

କ’ଣ ଥିଲା ପୂରା ଘଟଣାକ୍ରମ

କହି ରଖୁଛୁ, ଦୁମକା ଅଞ୍ଚଳରେ ରହୁଥିବା ଅଙ୍କିତା ନାମ୍ନୀ ଯୁବତୀଙ୍କୁ ସେହି ଅଞ୍ଚଳର ଶାହରୁଖ ନାମକ ଯୁବକ ଗତ କିଛି ମାସ ଧରି ହଇରାଣ କରି ଆସୁଥିଲେ। ସେ କୌଣସି ମତେ ଅଙ୍କିତାଙ୍କ ମୋବାଇଲ୍ ନମ୍ବର କେଉଁ ଠାରୁ ପାଇ ଯାଇଥିଲେ ଏବଂ ଏହା ମାଧ୍ୟମରେ ଅଙ୍କିତାଙ୍କୁ ବାରମ୍ବାର କଲ୍‌ କରି କଥା ହେବା ସହ ତାଙ୍କୁ ବିବାହ ପାଇଁ ଚାପ ପକାଉଥିଲେ। ଥରେ ଅଙ୍କିତାଙ୍କ ପରିବାର ଲୋକେ ଶାହରୁଖଙ୍କୁ ଏ ବାବଦରେ ବୁଝାଇ ଥିଲେ ମଧ୍ୟ ତାଙ୍କ କାର୍ଯ୍ୟକଳାପ ବନ୍ଦ ହୋଇ ନ ଥିଲା।

ଗତ ଅଗଷ୍ଟ ୨୨ ତାରିଖ ରାତିରେ ସେ ଅଙ୍କିତାଙ୍କୁ ଫୋନ କରି ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଏବଂ ଏହାର କିଛି ଘଣ୍ଟା ପରେ ଅର୍ଥାତ୍‌ ପରଦିନ ସକାଳେ ଯେତେ ବେଳେ ଘରର ସମସ୍ତ ସଦସ୍ୟ ଶୋଇଥିଲେ, ସେହି ସମୟରେ ଶାହରୁଖ କୋଠରୀରେ ପଶିଥିଲେ। ଏହି ସମୟରେ ସେ ଏକୁଟିଆ ଶୋଇଥିବା ଅଙ୍କିତାଙ୍କ ଉପରେ ଝରକା ବାଟେ ପେଟ୍ରୋଲ ଢାଳି ତାଙ୍କୁ ନିଆଁ ଲଗାଇ ଦେଇଥିଲେ।

ଯେତେ ବେଳେ ଅଙ୍କିତା ଖୁବ୍‌ ଜୋର୍‌ରେ ପାଟି କରିଥିଲେ, ତ ଘର ଲୋକ ମାନେ ଉଠି ପଡ଼ିଥିଲେ। ସେମାନେ ଝରକା ବାଟେ ଶାହରୁଖଙ୍କୁ ପେଟ୍ରୋଲ କେନ୍‌ ଧରି ଦୌଡ଼ି ପଳାଇ ଯାଉଥିବାର ଦେଖି ନେଇଥିଲେ। ପରିବାର ଲୋକେ ତୁରନ୍ତ ଅଙ୍କିତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଯିବା ସହ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ସେହି ଦିନ ହିଁ ଶାହରୁଖଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.