ସୀମା ବିବାଦକୁ ନେଇ ମହାରାଷ୍ଟ୍ର-କର୍ଣ୍ଣାଟକ ମୁହାଁମୁହିଁ, ୫୦ ବର୍ଷର ବିବାଦରେ କେବେ ପଡ଼ିବ ପୂର୍ଣ୍ଣଛେଦ ?

କେନ୍ୟୁଜ୍‌: ଏବେ ମୁହାଁମୁହିଁ ପରିସ୍ଥିତିରେ ଦୁଇ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ଏହି ଦୁଇ ରାଜ୍ୟରେ ବିଜେପି ସରକାରରେ ଥିଲେ ମଧ୍ୟ ଏହି ଦୁଇ ରାଜ୍ୟର ମୁଖିଆ ସୀମା ବିବାଦକୁ ନେଇ ପରସ୍ପରକୁ ଦୋଷ ଦେଉଛନ୍ତି । ପାଖା ପାଖି ୫ ଦଶନ୍ଧି ହୋଇଗଲାଣି ଏହି ବିବାଦ ଲାଗିରହିଛି । ମହାରାଷ୍ଟ୍ର ସରକାର ସୀମା ବିବାଦର ସମାଧାନ ପାଇଁ ପୂର୍ବରୁ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆସନ୍ତା ୩୦ ତାରିଖ ଦିନ ଏହାର ଶୁଣାଣି ହେବାକୁ ଯାଉଛି । ନିକଟରେ ମାହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନାଭିସ କହିଥିଲେ, ମହାରାଷ୍ଟ୍ରର କୌଣସି ଗାଁ କର୍ଣ୍ଣାଟକରେ ମିଶିବ ନାହିଁ । କର୍ଣ୍ଣାଟକ ଅଧିନରେ ଥିବା ବେଲଗାମ, ନିପ୍ପଣୀ ଏବଂ କାରାବାର ପରି ମରାଠୀ ଭାଷାର ଗାଁ କୁ ଫେରେଇ ଆଣିବୁ । ଏଥି ପାଇଁ ସୁପ୍ରିମ୍‌ କୋର୍ଟରେ ଆମେ ଜୋରଦାର ଲଢ଼େଇ କରିବୁ ବୋଲି ଫଡ଼ନିଭାସ୍‌ କହିଥିଲେ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ସେ କହିଛନ୍ତି, ଦେବେନ୍ଦ୍ର ଫଡ଼୍‍ନାଭିସଙ୍କ ସ୍ୱପ୍ନ କେବେ ସତ ହେବ ନାହିଁ । ଆମ ସରକାର ମାଟି,ଜଳ ଏବଂ ସୀମା ସୁରକ୍ଷା କରିବା ପାଇଁ ପ୍ରତିବଦ୍ଧ । କର୍ଣ୍ଣାଟକର ସୀମାବର୍ତ୍ତୀ ଜିଲ୍ଳାର କୌଣସି ଗାଁକୁ ଛାଡ଼ିବାର ପ୍ରଶ୍ନ ଉଠୁ ନାହିଁ । ଆମର ଇଛା ୟେ ବି ଅଛି କି ମହାରାଷ୍ଟ୍ରର ସୋଲାପୁର ଏବଂ ଅକ୍କଲକୋଟ୍‌ ଭଳି କନ୍ନଡ଼ ଭାଷୀ ଅଞ୍ଚଳକୁ କର୍ଣ୍ଣାଟକରେ ମିଶେଇବା ପାଇଁ । ବୋମ୍ମଇ ଆହୁରି କହିଛନ୍ତି, ମହାରାଷ୍ଟ୍ର ୨୦୦୪ ମସିହାରୁ ଏହି ବିବାଦକୁ ନେଇ ସୁପ୍ରିମ୍‌ କୋର୍ଟକୁ ଯାଇଛି । କିନ୍ତୁ,ଏପର୍ଯ୍ୟନ୍ତ ଏଥିରେ କିଛି ଲାଭ ପାଇନାହିଁ କି ଆଗକୁ ମଧ୍ୟ ପାଇବ ନାହିଁ ।ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭିତରେ ସୀମା ବିବାଦ ବହୁତ ପୁରୁଣା । ଯେତେ ବେଳେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଥିଲେ ସେ କହିଥିଲେ, ଯେ ପର୍ଯ୍ୟନ୍ତି ଏହି ବିବାଦର ସମାଧାନ ହୋଇ ନାହିଁ ଏହି ଅଞ୍ଚଳ ସବୁକୁ କେନ୍ଦ୍ର ଶାସିତ ପ୍ରଦେଶ ହିସାବରେ ଘୋଷଣା କରିଦବା କଥା ।

ଏ ବିବାଦ ରାଜ୍ୟ ଗଠନ ବେଳର:

୧୯୪୭ ମସିହାରେ ଯେତେବେଳେ ଭାରତ ସ୍ୱାଧୀନ ହୋଇଥିଲା । ସେତେବେଳେ ଭାଷା ଆଧାରରେ ରାଜ୍ୟ ଗଠନ ହେବ ନେଇ ଦାବି ଉଠିଥିଲା । ଏଥି ପାଇଁ ଶ୍ୟାମ-ଧର-କୃଷ୍ଣ ଆୟୋଗ ଗଠନ ହୋଇଥିଲା । ଏହି ଆୟୋଗ ଭାଷା ଆଧାରରେ ରାଜ୍ୟ ଗଠନ ନ ହେବା ପାଇଁ କହିଥିଲା । ତା ପରେ ଲଗାତାର ଏହି ଦାବି ଉଠୁଥିବାରୁ ଗଠନ ହେଲା ‘ଜେବିପି’ ଆୟୋଗ । ଏହି ଆୟୋଗରେ ଥିଲେ ଜବହାର ଲାଲ ନେହେରୁ, ବଲ୍ଲଭ ବାଇ ପଟେଲ ଏବଂ ପଟ୍ଟାଭି ସୀତାରାମାୟା । ଏହି ଆୟୋଗ ଭାଷା ଆଧାରରେ ରାଜ୍ୟ ଗଠନ କରିବା ପାଇଁ ମତ ଦେଇଥିଲା । ୧୯୫୩ରେ ରାଜ୍ୟ ପୁନର୍ଗଠନ ଆୟୋଗ ଗଠନ ହେଲା ଏବଂ ରାଜ୍ୟ ପୁନର୍ଗଠନ ଆଇନ ବି ପ୍ରସ୍ତୁତ ହେଲା । ତା ପରେ ଏହି ଆଧାରରେ ୧୪ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ପ୍ରଦେଶ ଗଠନ ହେଲା । ସେହି ସମୟରେ ମହାରଷ୍ଟ୍ରକୁ ‘ବମ୍ବେ’ ଏବଂ କର୍ଣ୍ଣାଟକୁ ‘ମୈଶୁର’ ନାମରେ ଜାଣୁଥିଲେ ।

କଣ ରହିଛି ଏହି ବିବାଦ:

ଆଜିି ଦିନରେ ଥିବା ବିଜୟପୁରା, ବେଲଗାବି, ଧାରବାଡ଼ ଏବଂ ଉତ୍ତର କନ୍ନଡ଼ ପୂର୍ବରୁ ଏହି ଅଞ୍ଚଳ ମହାରାଷ୍ଟ୍ରର ଅଂଶ ଥିଲା । ସ୍ୱାଧୀନତା ପରେ ଯେତେବେଳେ ରାଜ୍ୟ ପୁନର୍ଗଠନ ହେଲା ବେଲଗାବି ନଗର ପାଳିକୁ ମହାରାଷ୍ଟ୍ରରେ ମିଶାଇବାକୁ ଦାବି ହୋଇଥିଲା, କାରଣ ଏଠାରେ ମରାଠୀ ଭାଷାର ଲୋକ ଅଧିକ ରହୁଥିଲେ । ତା ପରେ ୧୯୫୬ରେ ଯେତେବେଳେ ରାଜ୍ୟ ପୁନର୍ଗଠନ କାମ ଚାଲୁଥିଲା ସେତେବେଳେ ବେଲଗାମ (ଏବେ ବେଲଗାବି), ନିପ୍ପଣୀ, କାରାବାର,ଖାନାପୁର ଏବଂ ନନ୍ଦଗାଡ଼କୁ ମହାରାଷ୍ଟ୍ରରେ ମିଶାଇବା ପାଇଁ କିଛି ନେତା ଦାବି କରିଥିଲେ । ଯେତେବେଳେ ଦାବି ତୀବ୍ର ହେଲା କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଅବସର ପ୍ରାପ୍ତ ବିଚାରପତି ମେହର ଚନ୍ଦ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଗ ଗଠନ କରିଥିଲେ । ତା ପରେ ୧୯୬୭ରେ ଏହି ଆୟୋଗ ନିଜର ରିପୋର୍ଟ ଦାଖଲ କରିଥିଲା । ଆୟୋଗ ଏହି ରିପୋର୍ଟରେ ନିପ୍ପଣୀ, ଖାନାପୁର ଏବଂ ନନ୍ଦଗାଡ଼ ସହିତ ୨୬୨ ଗାଁ ମହାରାଷ୍ଟ୍ରକୁ ଦେବା ପାଇଁ କହିଥିଲା । କିନ୍ତୁ, ମହାରାଷ୍ଟ୍ର ବେଲଗାବି ସହିତ ୮୧୪ ଗାଁ ଦାବି କରିଥିଲା । ଏହି ରିପୋର୍ଟ ଉପରେ ମହାରାଷ୍ଟ୍ର ଆପତ୍ତି ଜଣାଇଥିଲା ଏବଂ କହିଥିଲା ଏହି ଅଞ୍ଚଳରେ ଅଧିକ ମରାଠୀ ଭାଷାର ଲୋକ ଥିବାରୁ ଏହି ସବୁ ଅଞ୍ଚଳକୁ ଆମକୁ ଦିଆଯାଉ । ଅପର ପକ୍ଷରେ କର୍ଣ୍ଣାଟକ କହିଥିଲା, ସୀମା ପୁନର୍ଗଠନ ଆଇନ ବଳରେ ଯାହା ହୋଇଛି ତାହା ଉଚିତ ।

ସୁପ୍ରିମ୍‌ କୋର୍ଟରେ ପଡ଼ି ରହିଛି ମାମଲା:

ଆଜିଠୁ ୧୮ ବର୍ଷ ପୂର୍ବରୁ ମହାରାଷ୍ଟ୍ର ସରକାର ଏହି ମାମଲାକୁ ନେଇ ସୁପ୍ରିମ୍‌ କୋର୍ଟରେ ପହଞ୍ଚିଥିଲେ ଏବଂ ୮୧୪ ଗାଁକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ କହିଥିଲେ । ୨୦୦୬ ମସିହାରେ ସୁପ୍ରିମ୍‌ କୋର୍ଟ ଏହି ମାମଲାକୁ ପରସ୍ପର ମାଧ୍ୟମରେ ଆଲୋଚନା କରିବା ପାଇଁ କହିଥିଲେ । ତା ସହିତ ଭାଷା ଆଧାରରେ ରାଜ୍ୟ ଗଠନକୁ ଗୁରୁତ୍ୱ ନଦେବା ପାଇଁ କହିଥିଲେ । ଏହା କଲେ ସ୍ଥିତି ଜଟିଳ ହେବ ବୋଲି କହିଥିଲେ । ଏବେ ପର୍ଯ୍ୟନ୍ତ ଏହି ମାମଲା ସୁୁପ୍ରିମ୍‌ କୋର୍ଟରେ ପଡ଼ି ରହିଛି । ଆସନ୍ତା ୩୦ ତାରିଖ ଦିନ ଏହି ମାମଲାର ଶୁଣାଣି ହେବା ପାଇଁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.