ନଓ୍ଵାବ ମଲିକଙ୍କୁ ଭୋର ୫ଟାରୁ ଘରୁ ଉଠାଇନେଲା ଇଡି, ଦାଉଦ୍‌ ସହ ସମ୍ପର୍କ ଥିବା ନେଇ ଚାଲିଛି ତଦନ୍ତ

ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ଵାବ ମଲିକଙ୍କୁ ବୁଧବାର ଅର୍ଥାତ୍‌ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍‌ ନିଜ ଅଫିସକୁ ନେଇଛି। ଇଡିର ଟିମ୍‌ ଭୋର ୫ଟା ବେଳେ ନଓ୍ଵାବ୍‌ ମଲିକଙ୍କ ଘରେ ପହଞ୍ଚିଥିଲା ଓ ତାଙ୍କୁ ଇଡି ଅଫିସକୁ ନେଇଥିଲା। ଇଡି ତାଙ୍କୁ ଅଣ୍ଡର ଓ୍ଵାର୍ଲ୍ଡ ସହ ସମ୍ପର୍କ ବିଷୟରେ ପଚରା ଉଚରା କରିବାକୁ ଉଠାଇ ନେଇଛି। ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ନଓ୍ଵାବ ମଲିକଙ୍କୁ ଗିରଫ କରାଯାଇନାହିଁ।

କ’ଣ ରହିଛି ମାମଲା?

ଅଣ୍ଡର ଓ୍ଵାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଦେଶରେ ଆତଙ୍କ ସୃଷ୍ଟି କରିବାକୁ ଯୋଜନା କରୁଥିବା ନେଇ ନିକଟରେ ଏନ୍‌ଆଇଏକୁ ଖବର ମିଳିଛି। ଦାଉଦ୍‌ ଦେଶର ପ୍ରମୁଖ ସହର ସମେତ ବଡ଼ ବଡ଼ ନେତାଙ୍କୁ ଟାର୍ଗେଟ କରୁଥିବା ନେଇ ଗୁଇନ୍ଦା ବିଭାଗ ପାଖରେ ସୂଚନା ପହଞ୍ଚିଛି। ଫଳରେ ଏନ୍‌ଆଇଏ ପକ୍ଷରୁ ଦାଉଦ୍‌ ଓ ତା’ ନିକଟତର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏତେ ବଡ଼ ପ୍ଲାନିଂ ଥିବାରୁ ଏଥିରେ ଟଙ୍କା କାରବାର ବି ହୋଇଥିବ। ଏଣୁ ଇଡି ବି ଏବେ ଏହି ମାମଲାର ତଦନ୍ତ କରୁଛି। ଏନେଇ ପଚରାଉଚରା ପାଇଁ ଇଡି ନଓ୍ଵାବ ମଲିକଙ୍କୁ ନେଇଥିବା କୁହାଯାଉଛି।

ତେବେ ଏହି ମାମଲାରେ ଦାଉଦ ଇବ୍ରାହିମ୍‌ର ଭାଇ ଇକବଲ କାସକରକୁ ନିଜ କଷ୍ଟଡିକୁ ନେଇଥିଲା ଇଡି। ମନି ଲଣ୍ଡ୍ରିଂର ଏକ ମାମଲାରେ ୭ ଦିନ ଅର୍ଥାତ୍‌ ୨୪ ଫେବ୍ରୁଆରୀ ଯାଏଁ ଇଡି ଇକବଲକୁ ପଚରାଉଚରା କରିବ। ପ୍ରକାଶ ଯେ ନିକଟରେ ଇଡି ଦାଉଦର ଭାଇ ଓ ତାର କେତେକ ନିକଟତମ ଲୋକଙ୍କ ବିରୋଧରେ ମନି ଲଣ୍ଟ୍ରିଂ କେସ୍‌ ରୁଜୁ କରିଛି। ଏହି ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଫଣ୍ଡିଂ କରୁଥିବା ନେଇ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.