କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ମଲ୍ଲିକାର୍ଜୁନ ଖଡ୍‌ଗେ; ୨୪ ବର୍ଷ ପରେ କୌଣସି ଅଣ ଗାନ୍ଧୀ ହେଲେ କଂଗ୍ରେସ ସଭାପତି

କଂଗ୍ରେସ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପାଖାପାଖି ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ କୌଣସି ନେତା ଦେଶର ସର୍ବ ପୁରାତନ ଦଳର ଅଧ୍ୟକ୍ଷ ବଛା ହୋଇଛନ୍ତି। ଏହା ପୂର୍ବରୁ ସୀତାରାମ କେସରୀ ଅଣ-ଗାନ୍ଧୀ ଅଧ୍ୟକ୍ଷ ରହିଥିଲେ। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ୧୭ ଅକ୍ଟୋବରରେ ଭୋଟ୍‌ ଗ୍ରହଣ କରାଯାଇଥିଲା। ଏଥର ପ୍ରତିଦ୍ୱନ୍ଦ୍ୱିତା ବରିଷ୍ଠ ଦଳୀୟ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହୋଇଥିଲା, ଯେଉଁଥିରେ ଶଶି ଥରୁରଙ୍କୁ ପଛରେ ପକାଇ ମଲ୍ଲିକାର୍ଜୁନ ଖଡ୍‌ଗେ ବିଜୟୀ ହୋଇଛନ୍ତି।

ମଲ୍ଲିକାର୍ଜୁନ ଖଡ୍‌ଗେ ୭୮୯୭ ଖଣ୍ଡ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଯେତେବେଳେ କି, ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ମାତ୍ର ୧୦୭୨ ଖଣ୍ଡ ଭୋଟ୍‌ ମିଳିଛି। ୮ ଗୁଣା ଅଧିକ ଭୋଟରେ ଖଡ୍‌ଗେ ବିଜୟୀ ହୋଇଛନ୍ତି। ଏ ନେଇ ଶଶି ଥରୁର କହିଛନ୍ତି, ‘କଂଗ୍ରେସର ଅଧ୍ୟକ୍ଷ ହେବା ବଡ଼ ସମ୍ମାନ, ବଡ଼ ଦାୟିତ୍ୱର କଥା। ମୁଁ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଏହି ନିର୍ବାଚନରେ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଉଛି। ଅନ୍ତିମ ନିଷ୍ପତ୍ତି ଖଡ୍‌ଗେଙ୍କ ପକ୍ଷରେ ରହିଥିଲା। କଂଗ୍ରେସ ନିର୍ବାଚନରେ ତାଙ୍କ ବିଜୟ ପାଇଁ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଦେବାକୁ ଚାହୁଁଛି’।

କଂଗ୍ରେସର ପାଖାପାଖି ୯୯୦୦ ଜଣ ପ୍ରତିନିଧି ଦଳର ମୁଖିଆଙ୍କୁ ବାଛିବା ପାଇଁ ମତଦାନ କରିବାକୁ ଯୋଗ୍ୟ ଥିଲେ। କଂଗ୍ରେସ ମୁଖ୍ୟାଳୟ ସମେତ ପ୍ରାୟ ୬୮ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ସମେତ ପ୍ରାୟ ୯୫୦୦ ପ୍ରତିନିଧି (ନିର୍ବାଚକ ମଣ୍ଡଳୀର ସଦସ୍ୟ) ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ନିଜର ମତଦାନ କରିଥିଲେ।

କଂଗ୍ରେସ ଦଳର ୧୩୭ ବର୍ଷର ଇତିହାସରେ ୬ଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନ ହୋଇଛି। ଦଳର ମହାସଚିବ ଜୟରାମ ରମେଶଙ୍କ ମୁତାବକ, ଅଧ୍ୟକ୍ଷ ପଦ ପାଇଁ ୧୯୩୯, ୧୯୫୦, ୧୯୭୭, ୧୯୯୭ ଏବଂ ୨୦୦୦ ମସିହାରେ ନିର୍ବାଚନ ହୋଇଥିଲା।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମତଗଣନା ପୂର୍ବରୁ ଶଶି ଥରୁରଙ୍କ ଟିମ୍‌ ଭୋଟ୍‌ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆଣିଥିଲା। ଶଶି ଥରୁରଙ୍କ ଏଜେଣ୍ଟ ଏ ବାବଦରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ (CEA)ର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରିଙ୍କୁ ପତ୍ର ଲେଖିଥିଲେ। ଏଥିରେ ସେ ଉତ୍ତର ପ୍ରଦେଶରେ ନିର୍ବାଚନ ସଞ୍ଚାଳନରେ ଗୁରୁତର ଅନିୟମିତତା ନେଇ ଅଭିଯୋଗ କରିଥିଲେ ଏବଂ ଦାବି କରିଥିଲେ କି, ୟୁପିର ସମସ୍ତ ଭୋଟ୍‌କୁ ଅବୈଧ ଘୋଷଣା କରାଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.