ଦିଲ୍ଲୀ ପରେ ସୁରତ, ଛାତ ଉପରେ ଶୋଇବାକୁ ନେଇ ଝିଅକୁ ୨୫ ଥର ଛୁରୀ ଭୁସିଲା ବାପା

ବାପା ଭୁଲିଗଲା ନିଜର ହିତାହିତ ଜ୍ଞାନ । ସାମାନ୍ୟ କଥାକୁ ନେଇ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା । ଘଟଣାରେ ମୃତ୍ୟୁବରଣ କରିଥିବା ଝିଅର ମା’ ମଧ୍ୟ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ସୁରତରେ ଘଟିଛି ।

ବହୁଚର୍ଚ୍ଚିତ ଦିଲ୍ଲୀ ନାବାଳିକା ହତ୍ୟାକାଣ୍ଡ ପରେ ପୁଣି ଏକ ହତ୍ୟାକାଣ୍ଡ ଭିଡିଓ ସାମ୍ନାକୁ ଆସିଛି । ଦିଲ୍ଲୀ ପରେ ଗୁଜରାଟ ସୁରତରୁ ଏମିତି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବାପା ଝିଅକୁ କଟୁରୀରେ ହାଣିଛି । କୌଣସି କଥାକୁ ଝଗଡା ଲାଗିବାକୁ ନେଇ ଘରେ କଳହ ସୃଷ୍ଟି ହୋଇଥିଲା । ଯାହା ପାଇଁ ବାପା ୧୯ ବର୍ଷୀୟ ଝିଅକୁ ୨୫ ଥର ହାଣିଥିଲା । ବାପାକୁ ଏହି ମାମଲରେ ଗିରଫ କରାଯାଇଛି । ଏହାଛଡା ହତ୍ୟା କରିଥିବା ବ୍ୟକ୍ତିଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି ।

ଖବର ମୁତାବକ, ରାମାନୁଜ ସାହୁ ନିଜ ପରିବାର ସହିତ ସୁରତର ସତ୍ୟନଗର ସୋସାଇଟିରେ ରହୁଥିଲେ । ରାମାନୁଜ ଏବଂ ତାଙ୍କ ପତ୍ନୀ ରେଖାଙ୍କ ମଧ୍ୟରେ ଝିଅ ଛାତରେ ଶୋଇବା ନେଇ ଝଗଡା ହୋଇଥିଲା । ଏହି ଝଗଡା ଏତେ ମାତ୍ରାରେ ବଢିଯାଇଥିଲା ଯେ, ବାପା ରାଗରେ ଝିଅକୁ ହାଣି ଦେଇଥିଲେ । ଥରେ ନୁହେଁ ଝିଅକୁ ୨୫ ଥର ହାଣିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ଛଟପଟ ହେଉଥିଲେ ମଧ୍ୟ କେହି ରକ୍ଷା କରିପାରିନଥିଲେ । ଯିଏ ବି ରକ୍ଷା ପାଇଁ ଆସିଥୁଲେ, ସେମାନେ ଶିକାର ହେଉଥିଲେ । ତେଣୁ ଭୟରେ କେହି ପାଖରେ ପସିନଥିଲେ । ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି ।

ରାମାନୁଜ ତାଙ୍କ ପତ୍ନୀ ରେଖାଙ୍କ ସହିତ ପାଟିତୁଣ୍ଡ କରୁଥିଲେ । ଏହାକୁ ବାରଣ କରିଥିଲେ ଝିଅ । ତା’ ପରେ ବାପା ଝିଅକୁ ଆକ୍ରମଣ କରିଥିଲେ । ଘଟଣାରେ ପତ୍ନୀ ରେଖାଙ୍କର ୨ଟି ଆଙ୍ଗୁଠି କଟିଯାଇଛି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ଘଟଣାରେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଜଣେ ଯୁବକ ୧୬ ବର୍ଷୀୟ ନାବାଳିକାଙ୍କୁ ୪୦ ଥର ଛୁରୀ ଆକ୍ରମଣ କରି ପଥରରେ ଛେଚି ହତ୍ୟା କରିବାର ଭିଡିଓ ସାମ୍ନାକୁ ଆସିଥିଲା । କିଭଳି ନୃଶଂସ ହୋଇ ଯୁବକ ଜଣକ ହତ୍ୟା କରିଚାଲିଛି । ପାଖରେ ଲୋକେ ଯିବା ଆସିବା କରୁଥିଲେ ମଧ୍ୟ କେହି ନାବାଳିକାକୁ ବଞ୍ଚାଇନଥିଲେ । ପୋଲିସ ଏହି ଘଟଣାରେ ହତ୍ୟାକାରୀ ସାହିଲକୁ ଗିରଫ ମଧ୍ୟ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.