ହିମାଚଳରେ ତୁଷାରପାତ, ମନାଲି-ଲେହ ରାଜପଥ ବନ୍ଦ; ଫସିଥିବା ଲୋକଙ୍କୁ କେଲାଙ୍ଗରେ ଅଟକି ରହିବାକୁ ପରାମର୍ଶ

ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। କେତେକ ଜିଲ୍ଲାରେ ବର୍ଷା ହେତୁ ଯାତାୟାତ ବନ୍ଦ ହେବା କଥା ମଧ୍ୟ ସାମ୍ନାକୁ ଆସିଛି। ଲାହୋଲ ଏବଂ ଚମ୍ବା ଜିଲ୍ଲାରେ ସତେଜ ତୁଷାରପାତ ଦେଖାଯାଇଛି। ଚମ୍ବାରେ ମଧ୍ୟ ସମାନ ଦୃଶ୍ୟ ରହିଛି।

ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। କେତେକ ଜିଲ୍ଲାରେ ବର୍ଷା ହେତୁ ଯାତାୟାତ ବନ୍ଦ ହେବା କଥା ମଧ୍ୟ ସାମ୍ନାକୁ ଆସିଛି। ଲାହୋଲ ଏବଂ ଚମ୍ବା ଜିଲ୍ଲାରେ ସତେଜ ତୁଷାରପାତ ଦେଖାଯାଇଛି। ଚମ୍ବାରେ ମଧ୍ୟ ସମାନ ଦୃଶ୍ୟ ରହିଛି। ଏଠାରେ ପାଗରେ ପରିବର୍ତ୍ତନ ଯୋଗୁ ଭରମୋର-ପାଙ୍ଗିର ଉପର ଶିଖରରେ ବରଫ ପଡ଼ିଛି। ସାଚ୍ ପାସ୍ ମାର୍ଗ ଦେଇ ବାଇରାଗଡ-କିଲାଡ଼ରେ ମଧ୍ୟ ବରଫ ପଡ଼ିବା କାରଣରୁ ପର୍ବତ ଉପରେ ଧଳା ଚାଦର ପଡ଼ିଥିବା ପରି ଦୃଶ୍ୟମାନ ହେଉଛି। ଏଠାରେ ୧୨ ଇଞ୍ଚ ପର୍ଯ୍ୟନ୍ତ ତୁଷାରପାତ ହୋଇଛି।

ରାଜଧାନୀ ଶିମଲାରେ ମଧ୍ୟ ସୋମବାର ରାତିରେ ବର୍ଷା ହୋଇଥିଲା। ଅନେକ ସହରରେ ତୁଷାରପାତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପ୍ରକାଶ କରିଛି। କେତେକ ଅଞ୍ଚଳରେ ବର୍ଷା ହେବ। ୧୪ ଏବଂ ୧୫ ଅକ୍ଟୋବରରେ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି।

ସୋମବାର ମଧ୍ୟରାତ୍ରିରୁ ଚମ୍ବାର ପାଗ ବଦଳିଛି। ବର୍ଷା ପରେ ପ୍ରବଳ ଥଣ୍ଡା ମଧ୍ୟ ବଢ଼ିଛି। ଲୋକମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ପିନ୍ଧୁଥିବାର ଦେଖାଯାଉଛି। ସାଚ୍ ପାସ୍ ମାର୍ଗ ଦେଇ ବାଇରାଗଡ-କିଲାଡ଼ରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ପାଙ୍ଗିରୁ ଚମ୍ବା ଆସୁଥିବା ଲୋକଙ୍କୁ ବର୍ତ୍ତମାନ ଅନ୍ୟ ରାସ୍ତା ବ୍ୟବହାର କରିବାକୁ କୁହାଯାଇଛି।

ସେପଟେ ମନାଲି-ଲେହ ରାସ୍ତାରେ ପ୍ରବଳ ତୁଷାରପାତ ହେତୁ ରାଜପଥ ବନ୍ଦ ରହିଛି। ଲେହ ଯାଉଥିବା ଯାନବାହନଗୁଡିକ ଦାରଚାଠାରେ ଅଟକି ରହିଥିବା ବେଳେ ସେପଟୁ ଆସୁଥିବା ଯାନଗୁଡ଼ିକ ସରଚୁଠାରେ ଅଟକି ରହିଛି। ସେହିପରି ଲୋକମାନଙ୍କୁ କେଲାଙ୍ଗରେ ରହିବାକୁ ପରାମର୍ଶ ଦିଆଯାଇଛି। ଜିଙ୍ଗଜିଙ୍ଗବାର ଏବଂ ବାରାଲାଚାରେ ପ୍ରାୟ ୨୦ ସେମି ତୁଷାରପାତ ହୋଇଛି, ଯେଉଁ କାରଣରୁ ରାସ୍ତା ବନ୍ଦ ରହିଛି।