ଭୂମିକମ୍ପ ଭିତରେ ଚମତ୍କାର! ୧୨୮ ଘଣ୍ଟା ପରେ ଭଗ୍ନାବଶେଷରୁ ସୁରକ୍ଷିତ ବାହାରିଲା ଶିଶୁ; ଉପସ୍ଥିତ ଲୋକଙ୍କ ଆଖିରୁ ଝରିପଡ଼ିଲା ଆନନ୍ଦର ଅଶ୍ରୁ

ତୁର୍କୀ ଏବଂ ସିରିୟାରେ ଭୂମିକମ୍ପର ଭୟାବହ ସ୍ଥିତି ଭିତରେ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ୧୨୮ ଘଣ୍ଟା ପରେ ଭଗ୍ନାବଶେଷରୁ ସୁରକ୍ଷିତ ଉଦ୍ଧାର ହୋଇଛି ଏକ ୨ ମାସର ଶିଶୁ।

ତୁର୍କୀ ଏବଂ ସିରିୟାରେ ବିନାଶକାରୀ ଭୂମିକମ୍ପ ପରେ ସୋସିଆଲ ମିଡିଆରେ ଅନେକ ଫଟୋ ସାମ୍ନାକୁ ଆସୁଛି। ପ୍ରତ୍ୟେକ ଫଟୋ ହୃଦୟ ବିଦାରକ ଥିବାବେଳେ ଚାରିଆଡ଼େ ପଡ଼ିଛି ଗଦାଗଦା ମୃତଦେହ। ହସ୍ପିଟାଲରେ ମୃତଦେହ ରଖିବାକୁ ଜାଗା ନାହିଁ। କାହାର ପୂରା ପରିବାର ଧ୍ୱଂସ ହୋଇଯାଇଛି ତ କେଉଁଠି କେହି ଜଣେ ନିରୀହ ଘରେ ଏକୁଟିଆ ହିଁ ବଞ୍ଚିଛି।

ଏପରି ଭୟାବହ ସ୍ଥିତିରେ ତୁର୍କୀ ଏବଂ ସିରିୟାକୁ ବିଶ୍ୱର ୧୦୦ରୁ ଅଧିକ ଦେଶ ସହାୟତାର ହାତ ବଢ଼ାଇଛନ୍ତି। ବିଭିନ୍ନ ଦେଶରୁ ଆସିଥିବା ଉଦ୍ଧାରକାରୀ ଟିମ୍‌ ଦିନରାତି ଏକାକାର କରି ଭଗ୍ନାବଶେଷ ଭିତରୁ ଲୋକଙ୍କୁ ବାହାର କରିବାରେ ଲାଗି ପଡ଼ିଛନ୍ତି।

ଏ ଭିତରେ ଅନେକ ଆଶ୍ଚର୍ଯ୍ୟଜନକ ତଥା ଚମତ୍କାର ଘଟଣା ବି ଦେଖିବାକୁ ମିଳୁଛି। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖାଯାଉଛି କି, ପାଖାପାଖି ଦୁଇ ମାସର ଏକ ଶିଶୁ ଦୀର୍ଘ ୧୨୮ ଘଣ୍ଟା ଧରି ଭଗ୍ନାବଶେଷ ଭିତରେ ରହିବା ପରେ ଜୀବନ୍ତ ବାହାରକୁ ବାହାରିଛି। ଶିଶୁଟିର ହସ ଦେଖିଲେ ଆପଣଙ୍କର ବି ହୃଦୟ କୁଣ୍ଢେମୋଟ ହୋଇଯିବ।

ଟ୍ଵିଟରରେ ପ୍ରଥମେ ଏହି ଫଟୋକୁ ମହମ୍ମଦ ବେରାମ ନାମକ ୟୁଜର ‘@ Muhamme02062811’ ହ୍ୟାଣ୍ଡେଲରୁ ସେୟାର କରିଥିଲେ। ଦେଖୁ ଦେଖୁ ଫଟୋଟି ପୂରା ବିଶ୍ୱରେ ଭାଇରାଲ ହୋଇଯାଇଛି। ଶିଶୁଟିର ଚେହେରା, ତା’ର ନିରୀହପଣ ଦେଖି ଲୋକଙ୍କ ଆଖିରେ ଲୁହ ଆସିଯାଉଛି।

ମିଡିଆ ରିପୋର୍ଟ ମୁତାବକ, ଯେତେବେଳେ ଏହି ଶିଶୁକୁ ବାହାରକୁ ବାହାର କରାଯାଇଥିଲା, ତ ସେଠାରେ ଉପସ୍ଥିତ ଲୋକମାନେ କାନ୍ଦିବାକୁ ଲାଗିଥିଲେ। କେହି କେହି ଖୁସିରେ ତାଳି ମଧ୍ୟ ମାରିଥିଲେ ଏବଂ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଭିଡିଓରେ ଆପଣ ଦେଖିପାରିବେ ଯେ ଏତେ ଘଣ୍ଟା ଧରି ମୃତ୍ୟୁକୁ ସାମ୍ନା କରିବା ସତ୍ତ୍ୱେ ଶିଶୁର ଚେହେରାରେ ହସ ଫୁଟୁଛି। ଶିଶୁଟି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ବ୍ୟକ୍ତିଙ୍କ ଆଙ୍ଗୁଠି ଶୋଷିବାକୁ ଚେଷ୍ଟା କରୁଛି। ତେବେ ଦିନକ ପୂର୍ବରୁ ସେୟାର କରାଯାଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୭ ଲକ୍ଷ ଭ୍ୟୁଜ୍‌ ମିଳିସାରିଲାଣି। ସୋସିଆଲ ମିଡିଆରେ ହଜାର ହଜାର ଲୋକ ଏହି ଭିଡିଓ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.