ମୋଦିଙ୍କ ନୂଆ ଟିମ୍‌: ୬ ଡାକ୍ତର, ୫ ଇଞ୍ଜିନିୟର, ୭ ପ୍ରଶାସନିକ ଅଧିକାରୀ ହେଲେ କେନ୍ଦ୍ର ମନ୍ତ୍ରୀ

ମୋଦିଙ୍କ ନୂଆ ଟିମ୍‌ । ସେକେଣ୍ଡ ଇନିଂସର ପ୍ରଥମ ସମ୍ପ୍ରସାରଣ। ଶପଥ ନେଲେ ୪୩ ମନ୍ତ୍ରୀ । ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ପଦୋନ୍ନତି ହୋଇଛି। ପୂର୍ବରୁ ୭ ଜଣ ରାଷ୍ଟ୍ରମନ୍ତ୍ରୀ କିମ୍ବା ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଥିଲେ। ଏବେ ଯେଉଁମାନେ ପଦୋନ୍ନତି ପାଇ ଶପଥ ନେଇଛନ୍ତି ସେମାନେ ହେଲେ କିରଣ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟେ, ପରଷୋତ୍ତମ ରୂପାଲା, ଜି. କ୍ରିଷ୍ଣା ରେଡି ଓ ଅନୁରାଗ ସିଂହ ଠାକୁର।

ମହାରାଷ୍ଟ୍ରର ଟାଣୁଆ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିଛି। ୨୦୧୯ରେ ବିଜେପିରେ ସାମିଲ ହୋଇଥିଲେ ନାରାୟଣ ରାଣେ। ସେହିପରି ପୁରସ୍କୃତ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ପାଇଁ ମଧ୍ୟପ୍ରଦେଶ କମଲନାଥ ସରକାର ଭାଙ୍ଗିଥିଲା । ସରକାର ଗଢ଼ିଥିଲେ ଶିବରାଜ ସିଂ ଚୌହ୍ଵାନ। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସର୍ବାନନ୍ଦ ସୋନୱାଲଙ୍କୁ କେନ୍ଦ୍ରକୁ ଆଣିଲେ ସରକାର। ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ସୋନୱାଲ ଏଥର ହିମନ୍ତ ବିଶ୍ୱଶର୍ମାଙ୍କୁ ବାଟ ଛାଡିଥିଲେ। ଏବେ କେନ୍ଦ୍ରରେ ପୁରସ୍କୃତ ହୋଇଛନ୍ତି।

ନୂଆ ଟିମ୍‌ରେ ଅନ୍ୟ ପ୍ରମୁଖ ନୂଆ ସଦସ୍ୟଙ୍କ ଭିତରେ ଅଛନ୍ତି ବୀରେନ୍ଦ୍ର କୁମାର, ରାମଚନ୍ଦ୍ର ପ୍ରତାପ ସିଂହ, ଭୂପେନ୍ଦ୍ର ଯାଦବ, ପଙ୍କଜ ଚୌଧୁରୀ, ସୁବାସ ସରକାର, ଶାନ୍ତନୁ ଠାକରୁ। ଟିମ୍‌ ମୋଦିରେ ସାମିଲ ହୋଇଛନ୍ତି ପଶୁପତି ପାରଶ । ସ୍ୱର୍ଗତ ରାମ ବିଳାସ ପାଶଓ୍ଵାନଙ୍କ ଭାଇ। ଆଜି ଯେଉଁ ମହିଳା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେମାନେ ହେଲେ ଅନୁପ୍ରିୟା ପଟେଲ, ଶୋଭା କାରନ୍ଦଲଜେ, ଦର୍ଶନା ବିକ୍ରମ ଜାରଦୋଶ, ମୀନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ ଓ ଭାରତୀ ପାୱାର।

ସମ୍ପ୍ରସାରଣ ପରେ ଯୁବ ବ୍ରିଗେଡ୍‌ ଆଉ ବୟସ୍କଙ୍କୁ ନେଇ ସନ୍ତୁଳିତ ହୋଇଛି ମୋଦିଙ୍କ ନୂଆ ଟିମ୍‌। ଏବେ କ୍ୟାବିନେଟ୍‌ରେ ଅଛନ୍ତି ୫୦ ବର୍ଷରୁ କମ୍‌ ବୟସ୍କ ୧୪ ଜଣ ମନ୍ତ୍ରୀ । ଜାତି, ଧର୍ମ ଓ ଅଭିଜ୍ଞତାକୁ ନେଇ ସନ୍ତୁଳିତ ହୋଇଛି ଟିମ୍‌ । ଯୁବ ମନ୍ତ୍ରୀଙ୍କୁ ମାର୍ଗଦର୍ଶନ କରିବେ ବରିଷ୍ଠ ମନ୍ତ୍ରୀ । ନୂଆ ଟିମ୍‌ରେ ଅଛନ୍ତି ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ । ବିଭିନ୍ନ ରାଜ୍ୟରେ ପୂର୍ବରୁ ମନ୍ତ୍ରୀ ପଦ ସମ୍ଭାଳିଥିବା ୧୮ ସାଂସଦ ମନ୍ତ୍ରିମଣ୍ଡରେ ସ୍ଥାନ ପାଇଛନ୍ତି । ବିଭିନ୍ନ ବୃତ୍ତିରେ ଅଭିଜ୍ଞତା ଥିବା ସାଂସଦ ମଧ୍ୟ ସାମିଲ ହୋଇଛନ୍ତି ମନ୍ତ୍ରିମଣ୍ଡଳରେ । ୧୩ ଜଣ ଆଇନ୍‌ଜୀବୀ, ୬ ଜଣ ଡାକ୍ତର, ୫ ଜଣ ଇଞ୍ଜିନିୟର, ୭ ଜଣ ପ୍ରଶାସନିକ ଅଧିକାରୀ ଅଛନ୍ତି । ଏମାନଙ୍କ ଭିତରେ ୭ ଜଣ ଗବେଷଣାରେ ଡିଗ୍ରୀ ହାସଲ କରିଥିବା ବେଳେ ୩ ଜଣ ବ୍ୟବସାୟରେ ଡିଗ୍ରୀ ହାସଲ କରିଛନ୍ତି। ୯ ରାଜ୍ୟରୁ ୧୧ ଜଣ ମହିଳା ମନ୍ତ୍ରିମଣ୍ଡଳରେ ସାମଲ ହୋଇଛନ୍ତି । ସେହିଭଳି ମନ୍ତ୍ରିମଣ୍ଡଳରେ ଅଛନ୍ତି ୧୨ ଜଣ ଅନୁସୂଚିତ ଜାତି ବର୍ଗର ନେତା । ଏମାନେ ୮ଟି ରାଜ୍ୟକୁ ପ୍ରତିନିଧିତ୍ୱ କରୁଛନ୍ତି । ୨୭ ଜଣ ଓବିସି ବର୍ଗର ଅଛନ୍ତି । ସେମାନଙ୍କ ଭିତରୁ ୫ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି । ଅନୁସୂଚିତ ଜନଜାତି ବର୍ଗର ୮ ଜଣ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ଧର୍ମକୁ ନେଇ ମୋଦି କ୍ୟାବିନେଟ୍‌ରେ ସନ୍ତୁଳନ ଦେଖିବାକୁ ମିଳିଛି। ଜଣେ ମୁସଲିମ୍‌, ଜଣେ ଶିଖ, ଜଣେ ଖ୍ରୀଷ୍ଟିଆନ୍‌ ଓ ଦୁଇ ଜଣ ବୌଦ୍ଧ ଧର୍ମାବଲମ୍ବୀ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.