ଯୁଦ୍ଧରେ ଚାଲିଯାଇଛି ଝିଅ…ହେଲେ କାହୁଁ ବୁଝିବ ମା’ ମନ! ସବୁଦିନ ସକାଳେ ସମାଧି ପାଖରେ ରଖି ଆସୁଛି ଗରମ କ୍ଷୀର ଓ ଚକୋଲେଟ୍‌

ୟୁକ୍ରେନ ରାଜଧାନୀ କିଭ୍‌ ଠାରୁ ପାଖାପାଖି ୬୦ କିଲୋମିଟର ଦୂରରେ ରହିଛି ବୁଚା ସହର, ଯାହା ଆଜି ଯନ୍ତ୍ରଣାରେ ଛଟପଟ ହେଉଛି। ସହରରେ ରୁଷୀୟ ସୈନ୍ୟ ମୃତ୍ୟୁର ଏମିତି ତାଣ୍ଡବ ରଚିଛନ୍ତି, ଯାହା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ। ଏଠି ଲୋକଙ୍କୁ ଗୁଳି ମାରି, ହାତଗୋଡ଼ ବାନ୍ଧି ବିଚ୍‌ ରାସ୍ତାରେ ଫିଙ୍ଗି ଦିଆଯାଇଛି। ଅତିଶୟ ଥଣ୍ଡା ହେତୁ ଶବ ଗୁଡ଼ିକ ପଚିଶଢ଼ି ଗଲାଣି। କିଛି ମୃତ ଶରୀର ସାଇକେଲ ଭିତରେ ଫସି ରହିଛି। ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ଧରାଶାୟୀ ହୋଇ ଯାଇଛି।

ଯେଉଁଆଡ଼େ ଚାହିଁବ ଦୂର ଦୂର ପର୍ଯ୍ୟନ୍ତ ଖାଲି ନିରବତା ହିଁ ଦିଶୁଛି। ରାସ୍ତାଘାଟ ଶୂନଶାନ। ଚତୁର୍ଦ୍ଦିଗରୁ ଆସୁଛି ଗୋଳାବାରୁଦ ଗନ୍ଧ। ଏହାରି ଭିତରେ ଜଣେ ମା’ର ଏମିତି ଏକ ସ୍ପର୍ଶକାତର କାହାଣୀ ରହିଛି, ଯାହା ବିଷୟରେ ଜାଣିଲେ ଆପଣ ଭାବପ୍ରବଣ ହୋଇ ଯିବେ। ମା’ ଜଣକ ରୁଷ-ୟୁକ୍ରେନ ଯୁଦ୍ଧରେ ନିଜ ଝିଅକୁ ହରାଇ ଦେଇଛି। ମା’ର ମମତା କିନ୍ତୁ ଏମିତି, ସେ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ତା’ର ଝିଅ ଏହି ଦୁନିଆରୁ ଚାଲି ଯାଇଛି।

ଏ ହେଉଛି ବୁଚା ସହରର ଏକ ପରିବାରର କାହାଣୀ, ଯିଏ କିଛି ଦିନ ପୂର୍ବରୁ ନିଜ ଛୋଟ ଝିଅ ‘ଶାଶା’କୁ ହରାଇ ଦେଇଛି। ମା’, ବାପା ଘର ନିକଟ ପାର୍କରେ ହିଁ ଝିଅକୁ ସମାଧି ଦେଇଛନ୍ତି। ଏବେ ଅବସ୍ଥା ଏମିତି ହୋଇଛି ଯେ ମା’କୁ ଲାଗୁଛି, କବରରେ ଝିଅକୁ ଥଣ୍ଡା ଲାଗୁ ଥିବ। ତେଣୁ ସେ ପ୍ରତିଦିନ ସକାଳେ କବର ପାଖରେ ରଖି ଆସୁଛି ଗରମ କ୍ଷୀର। ଝିଅକୁ ଚକୋଲେଟ୍‌ ପସନ୍ଦ ଥିବାରୁ ମା’ ଚକୋଲେଟ୍‌ ମଧ୍ୟ ରଖୁଛି।

ଶାଶାର ମା’, ବାପା କହିଛନ୍ତି, ଆମେ ଯାଇ ଥାଆନ୍ତୁ ଯଦି କେଉଁଆଡ଼େ ଯାଇ ଥାଆନ୍ତୁ। କିଭ୍‌ରେ ଭୀଷଣ ଗୁଳିଗୋଳା ବର୍ଷଣ ହେଉଥିଲା। ଏଠି ବୁଚାରେ ମଧ୍ୟ ଅବିରତ ଆକ୍ରମଣ କରି ଚାଲିଥିଲେ ରୁଷ ସୈନ୍ୟ। ଆମେ ସବୁ ଲୋକ ସମ୍ପୂର୍ଣ୍ଣ ରୂପେ ଫସି କି ରହିଥିଲୁ। କହି ରଖୁଛୁ, ବୁଚାରେ ବହୁତ ଥଣ୍ଡା ପଡ଼ିଛି। ପାରା ମାଇନସ୍‌ରେ ରହିଛି। ଥଣ୍ଡା ପରିସ୍ଥିତିରେ ନା ବିଜୁଳି ଅଛି ନା ଘରେ ଗ୍ୟାସ୍‌ ବ୍ୟବସ୍ଥା। ଏମିତିରେ ଲୋକେ ବାହାରେ ପଡ଼ିଛନ୍ତି। ସେଇଠି ହିଁ ଖାଦ୍ୟ ରାନ୍ଧିବାକୁ ବାଧ୍ୟ ହେଉଛନ୍ତି।

ଅନ୍ୟ ପଟେ ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ରୁଷ ଓ ୟୁକ୍ରେନ ଯୁଦ୍ଧ ସମୟରେ କାର୍‌ରେ ବସି ଏକ ପରିବାର କେଉଁଆଡ଼େ ଯାଉଥିଲେ। ହଠାତ୍‌ କାର୍‌ ଉପରେ ବମ୍‌ ପଡ଼ିଥିଲା, ଏଥିରେ ପରିବାରର ସମସ୍ତ ଲୋକଙ୍କ ମୃତ୍ୟୁ ଘଟି ଥିଲା। କିଛି ଦିନ ଧରି କାର୍‌ରେ ମୃତଦେହ ଗୁଡ଼ିକ ସେହିପରି ପଡ଼ି ରହିଥିଲା। ଆହୁରି ମଧ୍ୟ, ରାସ୍ତାରେ ଏଠି ସେଠି ଏବେ ମହିଳା, ପୁରୁଷଙ୍କ ଶବ ପଡ଼ି ରହିଛି। କେହି ବି ସେମାନଙ୍କୁ ଚିହ୍ନଟ କରିବାକୁ ନାହାନ୍ତି। ସେପଟେ ରାଶନ ଏବଂ ଜୀବନ ଧାରଣର ଜରୁରୀ ଜିନିଷ ମିଳୁ ନ ଥିବାରୁ ଲୋକେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.