ନିଶ ବି ରହିଲା, ଆଉ ଚାକିରି ବି: ଚାକିରି ଫେରିପାଇଲେ ମଧ୍ୟପ୍ରଦେଶର କନେଷ୍ଟବଳ ରାକେଶ ରାଣା

ନିଶ ବି ରହିଲା, ଆଉ ଚାକିରି ବି। ନିଜ ଚାକିରି ଫେରିପାଇଲେ ମଧ୍ୟପ୍ରଦେଶର କନେଷ୍ଟବଳ ରାକେଶ ରାଣା। ନିଶ ଯୋଗୁ ନିଲମ୍ବନ ଆଦେଶ ଦେଇଥିବା ମଧ୍ୟପ୍ରଦେଶ ପୋଲିସ୍‌
ନିଜ ଅର୍ଡରକୁ ପ୍ରତ୍ୟାହାର କରିଛି। ନିଶ ପାଇଁ ଚାକିରି ଯାଇଥିବା ଖବର ଭାଇରାଲ ହେବା ପରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ରାକେଶ ରାଣାଙ୍କ ପାଇଁ ନିଶ ଆତ୍ମସମ୍ମାନର ପ୍ରତୀକ। ନିଶ ଓ ଚୁଟି ବଢାଇ ଚାକିରିରୁ ନିଲମ୍ବିତ ହୋଇଥିଲେ ପଛେ କିନ୍ତୁ ସେ ନିଶ କାଟିନଥିଲେ।

ରାକେଶ ପୋଲିସର ମୋଟର ଟ୍ରାନ୍‌ସପୋର୍ଟ ୱିଙ୍ଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ନିଶ ଓ ଚୁଟି ବଢିଥିବାରୁ ତାକୁ କାଟିବା ଲାଗି ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିଜ ଜିଦ୍‌ରେ ଅଟଳ ରହିଥିଲେ କନେଷ୍ଟବଳ ରାଣା । ତେବେ ରାକେଶ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ନମାନି ଜିଦ୍‌ କରିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ, ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ହେବା ପରେ ବି ନିଶକୁ ନେଇ କୌଣସି ପ୍ରକାର ସାଲିସ କରିବେ ନାହିଁ ବୋଲି କହିଥିଲେ ରାକେଶ ରାଣା ।

ତେବେ ବିଭାଗ ପକ୍ଷରୁ ରାକେଶଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଦିଆଯାଇଛି। ଏଣୁ ଏବେ ସବୁ ଆଡ଼େ ଚର୍ଚ୍ଚା ହେଉଛି ଯେ ରାକେଶଙ୍କ ନିଶ ବି ରହିଲା ଆଉ ଚାକିରି ବି।