ଅଞ୍ଜଳି ହିଟ୍‌ ଆଣ୍ଡ ରନ ମାମଲା : ଦିଲ୍ଲୀ ଅଦାଲତଙ୍କ ବଡ ରାୟ, ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ନାମରେ ଚାଲିବ ହତ୍ୟା ମାମଲା

ଦିଲ୍ଲୀରେ ଅଞ୍ଜଳି ହିଟ ଆଣ୍ଡ ରନ ମାମଲାରେ ଅଦାଲତ ବଡ ରାୟ ଶୁଣାଇଛନ୍ତି । ଏହି ଘଟଣାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ଶୁଣାଣି ଜାରି ରଖିବାକୁ କହିଛନ୍ତି କୋର୍ଟ ।

ରାଜଧାନୀ ଦିଲ୍ଲୀରେ ଅଞ୍ଜଳି ହିଟ ଆଣ୍ଡ ରନ ମାମଲାରେ ଅଦାଲତ ବଡ ରାୟ ଶୁଣାଇଛନ୍ତି । ଏହି ଘଟଣାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ଶୁଣାଣି ଜାରି ରଖିବାକୁ କହିଛନ୍ତି କୋର୍ଟ । ଅଞ୍ଜଳିଙ୍କ ମୃତ୍ୟୁ ସମୟରେ ଏହି ଚାରିଜଣ ଅଭିଯୁକ୍ତ କାରରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ସୁଲତାନପୁରୀରେ ରହୁଥିବା ଅଞ୍ଜଳି ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ୪ଜଣ ଅଭିଯୁକ୍ତ ଥିବା କାର୍ ତାଙ୍କୁ ଧକ୍କା ଦେଇଥିଲା। ସ୍କୁଟି କାର୍ ସହ ଧକ୍କା ହେବା ପରେ ଅଞ୍ଜଳି କାରରେ ଲାଗିଯାଇଥିଲେ। କାର୍ ତଳେ ଘୋଷାଡି ହୋଇ ଚିତ୍କାର କରୁଥିଲେ ଅଞ୍ଜଳି। ଗାଡ଼ି ରୋକିବାକୁ ବାରମ୍ବାର ଅନୁରୋଧ କୁରଥିଲେ । ଏ ବିଷୟରେ ସେମାନେ ଜାଣି ମଧ୍ୟ ଗିରଫ ହେବା ଭୟରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ। ଏହା ଫଳରେ ତାଙ୍କ ଶରୀରରୁ ପୋଷାକ ଛିଡ଼ି ଯାଇଥିବା ସହ ସେ ରକ୍ତାକ୍ତ ହୋଇପଡ଼ିଥିଲେ। ଫଳରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଥିଲା। ରାସ୍ତାରେ ଯାଉଥିବା ଜଣେ ଲୋକ କାର୍ ତଳେ ଅଞ୍ଜଳିଙ୍କ ମୃତଦେହ ଲାଖିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।

ଭୋର ସମୟରେ ପୋଲିସ କଞ୍ଜାୱାଲାରେ ପହଞ୍ଚିବା ପରେ ଅଞ୍ଜଳିଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲା। ଏହି ଘଟଣା ଘଟିବା ପରେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ସମସ୍ତ ୪ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ଏବେ ଅଭିଯୁକ୍ତ ଜେଲରେ ଥିବା ବେଳେ ଦିଲ୍ଲୀର ରୋହିନୀ କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି।

ଏହି ମାମଲାରେ ଅଭିଯୁକ୍ତ ମନୋଜ ମିତ୍ତଲ, ଅମିତ ଖାନ୍ନା, କୃଷ୍ଣ ଏବଂ ମିଥୁନଙ୍କ ଉପରେ ଆଇପିସି ଧାରା ୩୦୨, ୨୦୧, ୨୧୨ ଏବଂ ୧୨୦ ବି ଅଧିନରେ ମାମଲା ରୁଜୁ ହୋଇଥିଲା । ଏମାନଙ୍କ ଉପରେ ଧାରା ୧୨୦ ବି ଉଠାଯାଇଥିବା ବେଳେ ବାକି ଧାରା ଅନୁସାରେ କେସ୍‌ ଚାଲିବ । ଆଗାମୀ ଶୁଣାଣି ୧୪ ଅଗଷ୍ଟରେ ହେବ ବୋଲି କୋର୍ଟ କହିଛନ୍ତି ।

ତେବେ ପୂର୍ବରୁ ଏହି ମାମଲାରେ ୧୧ ଜଣ ପୋଲିସ କର୍ମୀଙ୍କୁ ସସପେଣ୍ଡ କରାଯାଇଥିଲା । ୨ ଜଣ ସବ ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର, ୪ ଜଣ ହେଡ କନେଷ୍ଟବଳ, ଜଣେ କନେଷ୍ଟବଳ ସାମିଲ ଥିଲେ ।

You might also like