ପାକିସ୍ତାନ ଫେରିବେ ନଓ୍ଵାଜ ସରିଫ୍‌, ବଡ଼ ଭାଇଙ୍କ ପାଇଁ ୧୦ ବର୍ଷର ପାସ୍‌ପୋର୍ଟ ଜାରି କଲେ ପିଏମ୍‌ ଶେହବାଜ୍‌

ପାକିସ୍ତାନ: ଇମ୍ରାନ୍‌ ଖାନ୍‌ଙ୍କୁ ଗାଦିରୁ ହଟାଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଶେହବାଜ୍‌ ସରିଫ୍‌ ଏବେ ଭାଇ ନଓ୍ଵାଜ ସରିଫ୍‌ଙ୍କୁ ଦେଶକୁ ଫେରାଇ ଆଣିବା ଉପରେ ଅଧିକ ଜୋର୍‌ ଦେଉଛନ୍ତି। ସେ ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଏ ନେଇ ଘୋଷଣା କରିଥିଲେ। ଏବେ ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ପାକିସ୍ତାନ ଫେରିବା ରାସ୍ତା ପରିଷ୍କାର ହୋଇଛି। ସେ ବ୍ରିଟେନ୍‌ରୁ ଫେରିବା ପାଇଁ ପାକିସ୍ତାନ ସରକାର ପାସ୍‌ପୋର୍ଟ ଜାରି କରିଛନ୍ତି।

ରିପୋର୍ଟ ମୁତାବକ, ନଓ୍ଵାଜ୍‌ଙ୍କ ପାସ୍‌ପୋର୍ଟର ଅବଧି ଗତ ବର୍ଷରୁ ହିଁ ସରିଯାଇଛି। କିନ୍ତୁ ଇମ୍ରାନ୍‌ ଖାନ୍‌ ସରକାର ତାହାକୁ ଅପ୍‌ଡେଟ୍‌ କରୁନଥିଲେ। ଏହି କାରଣରୁ ନଓ୍ଵାଜ ସରିଫ୍‌ ଲଣ୍ଡନ୍‌ରେ ହିଁ ରହୁଛନ୍ତି। କିନ୍ତୁ ଏବେ ତାଙ୍କ ସାନ ଭାଇ ପ୍ରଧାନମନ୍ତ୍ରୀ ହେବା ପରେ ସର୍ବ ପ୍ରଥମେ ଏହି କାମ କରି ଭାଇଙ୍କୁ ଦେଶକୁ ଫେରାଇ ଆଣିବାରେ ଲାଗିପଡ଼ିଛନ୍ତି। ସେ ନଓ୍ଵାଜ୍‌ ସରିଫ୍‌ଙ୍କ ପାଇଁ ଯେଉଁ ପାସ୍‌ପୋର୍ଟ ଜାରି କରିଛନ୍ତି, ତାହା ସାଧାରଣ ଓ ତତ୍କାଳ କାଟାଗୋରୀର। ଏହି ପାସ୍‌ପୋର୍ଟ ଜାରି କରିବା ତାରିଖ ହେଉଛି ୨୩ ଏପ୍ରିଲ ୨୦୨୨ ଓ ଏହା ୧୦ ବର୍ଷ ଯାଏଁ ବୈଧ ରହିବ।

୨୦୧୯ରେ ଲଣ୍ଡନ ଯାଇଥିଲେ ନଓ୍ଵାଜ:

ପାକିସ୍ତାନରେ ୩ ଥର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ୭୨ ବର୍ଷୀୟ ନଓ୍ଵାଜ ସରିଫ୍‌ଙ୍କ ଉପରେ ଇମ୍ରାନ୍‌ ଖାନ୍‌ ସରକାର ଭ୍ରଷ୍ଟାଚାର ଅଭିଯୋଗ କରି ଅନେକ ମାମଲାର ଯାଞ୍ଚ ଆରମ୍ଭ କରିଥିଲେ। ଏହା ପରେ ନଓ୍ଵାଜ୍‌ ସରିଫ୍‌ ୨୦୧୯ ମସିହାରେ ଲହୋର ହାଇକୋର୍ଟରୁ ଅନୁମତି ନେଇ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ତାଙ୍କ ପାସ୍‌ପୋର୍ଟର ଅବଧି ସରିଯାଇଥିଲା। କିନ୍ତୁ ଇମ୍ରାନ୍‌ ସରକାର ତାଙ୍କ ପାସ୍‌ପୋର୍ଟ ରିନ୍ୟୁ କରାଇନଥିଲେ ଓ ସେ ଲଣ୍ଡନରେ ହିଁ ରହିବାକୁ ବାଧ୍ୟ ହୋଇଥିଲେ।

ଲଣ୍ଡନରେ ବିଲାବଲଙ୍କୁ ଭେଟିଥିଲେ ନଓ୍ଵାଜ:

ନଓ୍ଵାଜ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌- ନଓ୍ଵାଜ (ପିଏନ୍‌ଏଲ୍‌-ଏନ୍‌)ର ବରିଷ୍ଠ ନେତା। ସେ ଗତ ସପ୍ତାହରେ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ- ଜର୍ଦ୍ଦାରୀଙ୍କୁ ସାକ୍ଷାତ କରିଥିଲେ ଓ ପାକିସ୍ତାନର ସମଗ୍ର ରାଜନୈତିକ ସ୍ଥିତି ବିଷୟରେ ଚର୍ଚ୍ଚା କରିଥିଲେ। ଦୁଇ ନେତା ରାଜନୀତି ଓ ଦେଶର ହିତ ସମ୍ବନ୍ଧୀୟ ଅନେକ ବିଷୟରେ ଏକାଠି କାମ କରିବାକୁ ସଂକଳ୍ପ କରିଥିଲେ। ତାଙ୍କୁ ଅଲ୍‌ ଅଜଜିୟା ମିଲ୍ସ ଭ୍ରଷ୍ଟାଚାର ମାମଲାରେ ମଧ୍ୟ ଜାମିନ୍‌ ମିଳିଥିଲା। ଏହି ମାମଲାରେ ସେ ଲାହୋରର ଲଖପତ୍‌ ଜେଲରେ ୭ ବର୍ଷ ପାଇଁ କାରାଦଣ୍ଡ ଭୋଗିଥିଲେ।

Also Read: ଖରାଦିନେ ବେଳେବେଳେ ପାଣିରେ ବରଫ ମିଶାଇ ଗାଧାନ୍ତୁ, ମିଳିବ ଏସବୁ ଫାଇଦା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.