ବିଜେପିକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବୁନାହିଁ, ଏନ୍ସିପି ବିଧାୟକ ଦଳ ବୈଠକ ପରେ ହୋଟେଲ ଗଲେ ସବୁ NCP ବିଧାୟକ

କେନ୍ୟୁଜ୍(ବ୍ୟୁରୋ): ଗତକାଲି ଏନ୍ସିପି ବିଧାୟକ ଦଳ ବୈଠକ ପରେ, ସବୁ ବିଧାୟକଙ୍କୁ ମୁମ୍ବାଇର ଏକ ହୋଟେଲକୁ ନିଆଯାଇଥିଲା। ୫ ଜଣ ବିଧାୟକଙ୍କୁ ଛାଡି ବାକି ସବୁ ବିଧାୟକ ଏକାଠି ଥିବା ଦଳ ତରଫରୁ କୁହାଯାଇଛି। ୫ ବିଧାୟକଙ୍କ ସହ ଯୋଗାଯୋଗ ପାଇଁ ସମସ୍ତ ଉଦ୍ୟମ କରାଯାଉଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି। ଦଳ କହିଛି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇନପାରି ହିଁ ଫଡ୍ନାଭିସ ସରକାର ହାରିବ। ଏହାପରେ ଶିବସେନା, ଏନ୍ସିପି ଓ କଂଗ୍ରେସର ସରକାର ହେବ। ସରକାର ଗଠନ ପାଇଁ ବିଜେପି ଓ ଅଜିତ ପାୱାରଙ୍କ ଦ୍ୱାରା ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ଚିଠିରେ ବିଜେପିର ୧୦୫ ଓ ଏନସିପିର ୫୪ ବିଧାୟକଙ୍କ ସହ ୮ ସ୍ୱାଧୀନ ବିଧାୟକଙ୍କ ସହ ୧୬୭ଜଣଙ୍କ ସମର୍ଥନ ରହିଥିବା ଉଲ୍ଲେଖ କରାଯାଇଛି। ସେପଟେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ଦେଇଥିବା ପତ୍ରରେ ଶିବସେନାର ୫୬, ଏନସିପିର ୪୯ ଓ କଂଗ୍ରେସର ୪୪ ବିଧାୟକଙ୍କ ସହ ୮ ସ୍ୱାଧୀନ ଓ ଅନ୍ୟ ୧୪ଜଣଙ୍କ ସମର୍ଥନ ସହ ୧୭୦ ସଂଖ୍ୟା ରହିଛି।