ୟୁକ୍ରେନର ସୁମିରେ ଫସି ରହିଥିବା ଛାତ୍ରଙ୍କ ଉଦ୍ଧାର ପାଇଁ ଚାଲିଛି ଆଲୋଚନା, ପ୍ରସ୍ତୁତ ହେଉଛି ସେଫ୍ କରିଡର

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନର ସୁମିରେ ଚାଲିଛି ଘମାଘୋଟ ଲଢେଇ। ସେଠାରେ ଫସି ରହିଥିବା ଛାତ୍ରଙ୍କ ପାଇଁ ଉଦ୍ବେଗ ପ୍ରକାଶ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ସେମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ରୁଷ ଓ ୟୁକ୍ରେନ ଅଧିକାରୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି। ଛାତ୍ରଛାତ୍ରୀଙ୍କୁ ସେଠାରୁ ଉଦ୍ଧାର କରିବାକୁ ଏକ ସେଫ୍ କରିଡର ପ୍ରସ୍ତୁତ କରିବାକୁ ଆଲୋଚନା ଚାଲିଥିବା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ଵିଟ ଯୋଗେ ଜଣାଇଛନ୍ତି।
ସେପଟେ ବର୍ତ୍ତମାନ ସୁଦ୍ଧା ୭ଦିନରେ ରୋମାନିଆ ଓ ମୋଲଡୋଭାରୁ ୬ହଜାର ୨୨୨ଜଣ ଭାରତ ଆସି ପହଞ୍ଚିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ସୀମା ନିକଟ ସୁକିଆଭାରେ ଏକ ବିମାନ ବନ୍ଦର ଠାବ ହୋଇଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜଣାଇଛନ୍ତି। ଆଗାମୀ ୨ଦିନରେ ୧୦୫୦ ଜଣଙ୍କୁ ସ୍ୱଦେଶ ଫେରାଇ ଅଣାଯିବ ବୋଲି ସେ କହିଛନ୍ତି।