ନିର୍ଦ୍ଦୟ ମା’ର ଶାସ୍ତି: ୫ ବର୍ଷର ଝିଅ ହୋମଓ୍ୱାର୍କ ନ କରିବାରୁ ହାତ-ଗୋଡ଼ ବାନ୍ଧି ଛାତ ଉପରେ ଗଡ଼ାଇ ଦେଲା, ପ୍ରଚଣ୍ଡ ଖରାରେ ସିଝୁଛି ଛୁଆ

ନୂଆଦିଲ୍ଲୀ : କ’ଣ କୌଣସି ମା’ ଏତେ ନିର୍ଦ୍ଦୟ ହୋଇପାରେ ଯେ, ସ୍କୁଲର ହୋମୱାର୍କ ନ କରିବାରୁ ତତଲା ଛାତ ଉପରେ ନିଜ ପିଲାକୁ ଗୋଡ-ହାତ ବାନ୍ଧି ପକାଇ ଦେଇପାରିବ? ସେ ପୁଣି ପାଖାପାଖି ୪୦ ଡିଗ୍ରୀରେ ଖରାରେ । ବୋଧେ କିଛି ସମୟ ପାଇଁ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଏଭଳି କଥା ଶୁଣି ଉତ୍ତର ଦେଇପାରୁ ନଥିବେ। କିନ୍ତୁ ଦିଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପ୍ରଚଣ୍ଡ ଖରାରେ ହାତ ଗୋଡ଼ ବାନ୍ଧି ୫ ବର୍ଷର ଛୁଆକୁ ଖରାରେ ପକାଇ ଦିଆଯାଇଛି। କଅଁଳ ଝିଅଟିକୁ ଦିଆଯାଇଛି ଏମିତି ନିର୍ଦ୍ଦୟ ଦଣ୍ଡ। ତାର ଦେହ ଏତେ ତାତୁଛି ଯେ, ବିଚାରି ଚେଷ୍ଟା କରୁଛି କେମିତି ଚଟାଣ ସହିତ ଦେହ ନ ଲାଗିବ । ପୁରା ଦିପହରରେ ଝିଅଟି ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରୁଛି। ଅସହାୟ ହୋଇ ରାହା ଧରି କାନ୍ଦୁଛି । ବୋଧହୁଏ ଦଣ୍ଡ ଦେଇଥିବା ବ୍ୟକ୍ତି ହିତାହିତ ଜ୍ଞାନ ଭୁଲି ଯାଇଛି । ତାର ମଣିଷ ପଣିଆ ମରି ଯାଇଛି ।

ଏହି ଘଟଣାକୁ ନେଇ ନିଜର ଦଲୀଲରେ ମା’ ସ୍ୱୀକାର କରିଛି ଯେ, ଶିଶୁକୁ ଏଭଳି ଅମାନବୀୟ ଦଣ୍ଡ ଦେଇଥିଲା । ସେ ଶିଶୁକନ୍ୟାର ହାତ-ଗୋଡ଼ ବାନ୍ଧି ତତଲା ଛାତ ଉପରେ ଗଡ଼ାଇ ଦେଇଥିଲା । ଏହି ଘଟଣା ହେଉଛି ଦିଲ୍ଲୀ ଖଜୁରୀ ଖାସ ଅଞ୍ଚଳର । ହୋମଓ୍ୱାର୍କ ନ କରିବାରୁ ଝିଅଟିକୁ ଏମିତି ନିର୍ଦ୍ଦୟ ଭାବେ ହାତଗୋଡ଼ ବାନ୍ଧି ଖରାରେ ଛାଡ଼ି ଦିଆଯାଇଛି । ପରେ ପୋଲିସ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ କରାଯାଉଛି ।

କେହି ଜଣେ ବ୍ୟକ୍ତି ଏଭଳି ଭିଡିଓ ସେୟାର କରିଛି । ଆରମ୍ଭରୁ କୁହାଯାଉଥିଲା ଯେ, ଭିଡିଓ କରାୱଲ ନଗରର । କିନ୍ତୁ ତଦନ୍ତ ପରେ ଜଣାପଡ଼ିଲା ଯେ, ସେଠାରେ ଏଭଳି ଅଘଟଣ ଘଟିନାହିଁ । ପୁଣି ପୋଲିସ ଜାଣିବାକୁ ପାଇଲା ଯେ, ଏହି ଭିଡିଓ ଖଜରୀ ଖାସ ଅଞ୍ଚଳର ତୁକମୀରପୁର ଗଳି ନମ୍ବର-୨ରେ ହୋଇଛି । ପୋଲିସର ପଚରାଉଚରା ସମୟରେ ଶିଶୁର ମା’ କହିଛି ଯେ, ଶିଶୁ ସ୍କୁଲର ହୋମୱାର୍କ କରି ନଥିଲା । ଏଥି ପାଇଁ ହାତ-ଗୋଡ ବାନ୍ଧି ପ୍ରବଳ ଖରାରେ ଛାତ ଉପରେ ତାକୁ ୫ରୁ ୭ ମିନିଟ ପର୍ଯ୍ୟନ୍ତ ସଜା ଦେଇଥିଲେ । ପରେ ସେ ଶିଶୁକନ୍ୟାକୁ ଛାତ ତଳକୁ ଆଣିଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣା ଜଣାପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ରାଇଟ୍ ଟୁ ଏଜୁକେସନ ଅନୁସାରେ ସ୍କୁଲଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି । ଛୋଟ ପିଲାଙ୍କୁ ମାଡ଼ ଗାଳି ଦେବା ଦ୍ୱାରା ସେମାନଙ୍କର ବିକାଶ ଠିକ୍ ହୋଇପାରେନି । ଏଥିରୁ ପିଲାଙ୍କୁ ରକ୍ଷା କରିବାକୁ ଅନେକ ଆଇନ କାନୁନ ଅଛି । ତଥାପି ସାମାନ୍ୟ ହୋମଓ୍ୱାର୍କ ନ କରିବାରୁ ପିଲାଟିକୁ ଏମିତି ଦଣ୍ଡ ପ୍ରଦାନକୁ ସୋସିଆଲ ମିଡିଆରେ ବହୁତ ନିନ୍ଦା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.