କରୋନା ମହାମାରୀ ଯୋଗୁ ୨୧ ମାସରେ ଅନାଥ ହୋଇଛନ୍ତି ଲକ୍ଷାଧିକ ଶିଶୁ, କିଏ ହରାଇଛି ବାପାଙ୍କୁ ତ ଆଉ କିଏ ପୂରା ପରିବାର

କରୋନା ଯୋଗୁ ଅନେକ ପରିବାର ଛାର ଖାର ହୋଇଯାଇଛି। ହଜାର ହଜାର ଶିଶୁ ନିଜ ବାପା ମା’ଙ୍କୁ ହରାଇ ଅନାଥ ହୋଇଛନ୍ତି। ଏ ସମ୍ପର୍କରେ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (NCPCR) ସୁପ୍ରିମକୋର୍ଟରେ ଏକ ବଡ଼ ଖୁଲାସା କରିଛନ୍ତି। ଆୟୋଗ ପକ୍ଷରୁ ଜାରି କରାଯାଇଥିବା ତାଜା ରିପୋର୍ଟ ମୁତାବକ, କରୋନା ମହାମାରୀ ବେଳେ ୧ ଏପ୍ରିଲ ୨୦୨୦ ପରେ ଦେଶର ୧ ଲକ୍ଷ ୪୭ ହଜାର ୪୯୨ ପିଲା ନିଜ ମା’ ବାପାଙ୍କୁ କିମ୍ବା ଉଭୟଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି।
ଏନ୍ସିପିସିଆର୍ ରିପୋର୍ଟରେ କୁହାଯାଇଛି, ଗତ ୨ ବର୍ଷରେ ଅନାଥ ହୋଇଥିବା ପିଲାଙ୍କ ମଧ୍ୟରୁ ଅଧିକାଂଶଙ୍କ ମା’ବାପାଙ୍କ ଜୀବନ କରୋନା ଭାଇରସ୍ କିମ୍ବା କୌଣସି ଦୁର୍ଘଟଣାରେ ହୋଇଛି। ସୁପ୍ରିମ୍କୋର୍ଟଙ୍କୁ ଏନ୍ସିପିସିଆର ତରଫରୁ ଏହି ସୂଚନା ଦିଆଯାଇଛି। ଏଥିରେ ସୁପ୍ରିମକୋର୍ଟ ଆୟୋଗକୁ ପ୍ରଶ୍ନ କରିଥିଲେ ଯେ କରୋନାରେ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କ ସଂଖ୍ୟା କେତେ। ଏ ନେଇ ଏକ ରିପୋର୍ଟ ଏନ୍ସିପିସିଆର କୋର୍ଟରେ ଦାଖଲ କରିଛନ୍ତି। ଆୟୋଗ ପକ୍ଷରୁ ଦାଖଲ କରାଯାଇଥିବା ଏହି ରିପୋର୍ଟ ୧୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତର ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ପକ୍ଷରୁ ସ୍ୱରାଜ ପୋର୍ଟାଲ କୋଭିଡ୍ କେୟାରରେ ଦିଆଯାଇଥିବା ଡାଟା ଆଧାରରେ ଦିଆଯାଇଛି।
ଏନ୍ସିପିସିଆର୍ ମୁତାବକ, ଦେଶରେ ଏପ୍ରିଲ ୨୦୨୦ରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ଉଭୟ ବାପା ମା’ଙ୍କୁ ହରାଇଥିବା ପିଲାଙ୍କ ସଂଖ୍ୟା ୧୦ ହଜାର ୯୪ ରହିଛି। ସେହିପରି ମା’ କିମ୍ବା ବାପା କେହି ଜଣଙ୍କୁ ହରାଇଥିବାଙ୍କ ସଂଖ୍ୟା ୧ ଲକ୍ଷ ୩୬ ହଜାର ୯୧୦ ରହିଛି। ଏଥିସହ ଛାଡ଼ିଯାଇଥିବା ପିଲାଙ୍କ ସଂଖ୍ୟା ୪୮୮ ରହିଛି। ଏହି ସବୁ ସଂଖ୍ୟାକୁ ହିସାବ କଲେ ଦେଶରେ ମା ବାପାଙ୍କୁ ହରାଇଥିବା ପିଲାଙ୍କ ସଂଖ୍ୟା ୧ ଲକ୍ଷ ୪୭ ହଜାର ୪୯୨ ରହିଛି। ଯାହା କି ଏକ ଚିନ୍ତାର ବିଷୟ ବୋଲି ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତି ଏନ୍ସିପିସିଆର୍।