ଇମ୍ରାନ ଖାନଙ୍କୁ ମିଳିଲା ଆଶ୍ବସ୍ତି, ଦୁଇଟି ମାମଲାରେ ୧୭ ଦିନ ପାଇଁ ମିଳିଲା ଅଗ୍ରୀମ ଜାମିନ

ଅଲ କାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲାରେ ଇମ୍ରାନଙ୍କୁ ୯ ମେରେ ଗିରଫ କରିଥିଲା ଏଟିସି । ଏହାପରେ ପାକିସ୍ତାନରେ ହିଂସାକାଣ୍ଡ ଭିଆଇଥିଲେ ପିଟିଆଇ କର୍ମୀ । ଏବେ ଇମ୍ରାନଙ୍କୁ ଦୁଇଟି ମାମଲାରେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଅଗ୍ରୀମ ଜାମିନ ମିଳିଛି ।

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଆଶ୍ବସ୍ତି । ମେ ମାସରେ ହୋଇଥିବା ହିଂସା ସହିତ ଜଡିତ ଦୁଇଟି ମାମଲାରେ ଗିରଫ ୱାରେଣ୍ଟକୁ ରଦ୍ଦ କରିବା ସହିତ ୭ ଜୁଲାଇ ପର୍ଯ୍ୟନ୍ତ ଅଗ୍ରୀମ ଜାମିନ ଦେଇଛନ୍ତି ଏଟିସି ।

ପିଟିଆଇ ପ୍ରମୁଖ ୭୦ ବର୍ଷୀୟ ଇମ୍ରାନଙ୍କୁ ୨୦ ଜୁନରେ କଡା ସୁରକ୍ଷା ମଧ୍ୟରେ ଲାହୋର ଏଟିସିରେ ହାଜର କରାଯାଇଥିଲା ।  ଇମ୍ରାନଙ୍କ ଓକିଲ ଦଲିଲ ଦାଖଲ କରିବା ପରେ ଏଟିସି ପକ୍ଷରୁ ଦୁଇଟି ମାମଲାରେ ୭ ଜୁଲାଇ ପର୍ଯ୍ୟନ୍ତ ତାଙ୍କୁ ଅଗ୍ରୀମ ଜାମିନ ମିଳିଛି । ତାଙ୍କୁ ୧ ଲକ୍ଷ ପାକିସ୍ତାନୀ ଟଙ୍କା ଜାମିନ ରାଶି ଜମା କରିବାକୁ କୁହାଯାଇଛି ।

ଏହା ପୂର୍ବରୁ ଲାହୋର ଏଟିସି ୯ ମଇରେ ହୋଇଥିବା ଦଙ୍ଗା ସମୟରେ ବର୍ବରତା ସମ୍ବନ୍ଧୀୟ ମାମଲାରେ ଇମ୍ରାନଙ୍କ ସହିତ ଅନ୍ୟ ପୂର୍ବ ଏବଂ ବର୍ତ୍ତମାନ ପିଟିଆଇ ନେତା ପାଇଁ ଅଣ ଜାମିନ ଗିରଫ ୱାରେଣ୍ଟ ଜାରି କରିଥିଲା । ଏହି ଦଙ୍ଗା ସମୟରେ କଲମା ଛକରେ ଏକ କଣ୍ଟେନର ଜାଳିବା ଏବଂ ମଡେଲ ଡାଉନର ପିଏମଏଲ-ଏନ କାର୍ଯ୍ୟାଳୟରେ ନିଆଁ ଲଗାଇବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ସମ୍ବନ୍ଧରେ ତଦନ୍ତ ଅଧିକାରୀ ଇନପେକ୍ଟର ମହମ୍ମଦ ସଲିମ ଅଣ ଜାମିନ ଗିରଫ ୱାରେଣ୍ଟ ଜାରି କରିବା ପାଇଁ ଏଟିସିକୁ ଅନୁରୋଧ  କରିଥିଲେ ।

ସୂଚନାଯୋଗ୍ୟ, ଅଲ କାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲାରେ ଇମ୍ରାନଙ୍କୁ ୯ ମେରେ ଗିରଫ କରାଯାଇଥିଲା। ଏହାପରେ ପାକିସ୍ତାରେ ହିଂସା ବୃଦ୍ଧି ପାଇଥିଲା। ହିଂସାରେ ପାଖାପାଖି ୫ ହଜାର ପିଟିଆଇ ସମର୍ଥକ ଗିରଫ ହୋଇଥିଲେ । ଏହାଛଡା ଅନେକ ନେତା ମଧ୍ୟ ଗିରଫ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.