ବାହାଘରରେ ଖାଇବାକୁ ମନା କରିବାରୁ ରାଗରେ ବର ସାମ୍ନାରେ ହିଁ ସବୁ ଫଟୋ ଡିଲିଟ୍‌ କରି ଦେଲେ ଫଟୋଗ୍ରାଫର

ବାହାଘରର ଫଟୋ ଉଠାଇବାକୁ ଯାଇଥିବା ଫଟୋଗ୍ରାଫରକୁ ଖାଇବାକୁ ନ ଦେବାରୁ ବର ସାମ୍ନାରେ ହିଁ ସେ ସବୁ ଫଟୋ ଡିଲିଟ୍‌ କରିଦେଇଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି। ଖବର ସାମ୍ନାକୁ ଆସିବା ପରେ ଫଟୋଗ୍ରାଫର କାହିଁକି ଏମିତି କଲେ ବୋଲି ଲୋକେ ତାଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ତେବେ ଏହି ମାମଲାରେ ଫଟୋଗ୍ରାଫର ଏବେ ମୁହଁ ଖୋଲିଛନ୍ତି।

ଫଟୋଗ୍ରାଫର ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ପେସାରେ ଜଣେ ଫଟୋଗ୍ରାଫର ନୁହେଁ। ମୁଁ କୁକୁରଙ୍କୁ ବୁଲାଏ ଓ ତାଙ୍କ ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ରେ ସେୟାର କରିଥାଏ। ଏହା କେବଳ ମୋର ସଉକ। କିନ୍ତୁ ମୋର ଜଣେ ବନ୍ଧୁ ଟଙ୍କା ବଞ୍ଚାଇବା ପାଇଁ ନିଜ ବିବାହରେ ମୋତେ ଫଟୋଗ୍ରାଫର ହେବାକୁ ଅଫର ଦେଇଥିଲେ। ପ୍ରଥମେ ମୁଁ ଏଥିପାଇଁ ମନା କରି ଦେଇଥିଲି। କିନ୍ତୁ ସାଙ୍ଗ ଅଧିକ ଜିଦ୍ଦି କରିବାରୁ ମୁଁ ରାଜି ହୋଇଥିଲି। ଏଥିପାଇଁ ସେ ମୋତେ ୨୫୦ ଡଲାର ଦେବାକୁ କହିଥିଲେ।

ବାହାଘରର ଫଟୋସୁଟ୍‌ ସକାଳ ୧୧ରୁ ରାତି ୮ଟା ଯାଏଁ ହେବାର ଥିଲା। ସନ୍ଧ୍ୟା ୫ଟା ବେଳେ ସମସ୍ତଙ୍କୁ ଖାଦ୍ୟ ପରଷା ଯାଇଥିଲା। କିନ୍ତୁ ଫଟୋଗ୍ରାଫର ପାଇଁ କୌଣସି ଟେବୁଲରେ ଖାଇବାକୁ ଦିଆଯାଇନଥିଲା। ମୋତେ ଖାଇବାକୁ ମଧ୍ୟ ମନା କରାଯାଇଥିଲା ଓ ଲଗାତାର ଫଟୋ ଉଠାଇବାକୁ କୁହାଯାଇଥିଲା। ମୁଁ ସକାଳୁ ସନ୍ଧ୍ୟା ଯାଏଁ ଖରା ଗରମ ଓ ଭୋକରେ ଥକି ଯାଇଥିଲି। କେହି ମୋତେ ପାଣି ଟୋପେ ବି ଦେଇନଥିଲେ କି ମୋ ସହ ଭଲ ବ୍ୟବହାର ମଧ୍ୟ କରିନଥିଲେ।

ଏଣୁ ମୁଁ ମୋ ବନ୍ଧୁ ତଥା ବରକୁ ମୋତେ ୨୦ ମିନିଟ୍‌ ଖାଇବା ପାଇଁ ବ୍ରେକ୍‌ ଦେବାକୁ କହିଥିଲି। କିନ୍ତୁ ସେ ମୋତେ ବ୍ରେକ୍‌ ଦେବା ବଦଳରେ ଅନବରତ ଫଟୋ ଉଠାଇବାକୁ କହିଥିଲେ। ସେଥିପାଇଁ ମୁଁ ପ୍ରବଳ ରାଗିଯାଇ ବର ସାମ୍ନାରେ ହିଁ ସବୁ ଫଟୋ ଡିଲିଟ୍‌ କରି ଦେଇଥିଲି। ଫଟୋଗ୍ରାଫର କହିଛନ୍ତି, ମୋତେ ଯଦି ସେତେବେଳେ ୨୫୦ ଡଲାର ବି ଦେଇଥାନ୍ତେ ତେବେ ସେଥିରେ ମୁଁ ପ୍ରଥମେ ଗ୍ଲାସେ ପାଣି କିଣିଥାନ୍ତି। କାରଣ ସେତେବେଳେ ଶୋଷରେ ମୋ ଅବସ୍ଥା ଖରାପ ଥିଲା।

You might also like