ବିଜେପି ବିଜ୍ଞାପନରେ ଚୀନ ଏୟାରପୋର୍ଟ ଫଟୋ ଦେଖି ତାତିଲେ ବିରୋଧୀ, କହିଲେ, ‘ମିଥ୍ୟା ଦାବି କରୁଥିବା ଲୋକଙ୍କର ଚିନ୍ତାଧାରା ସଚ୍ଚୋଟ କିପରି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୋଏଡାର ଜେଓ୍ଵରରେ ବୃହତ୍ତମ ଅନ୍ତର୍ଜାତୀୟ ଏୟାରପୋର୍ଟର ଶିଳାନ୍ୟାସ କରିଛନ୍ତି। ତେବେ ଏହି ମଉକାରେ ବିଜେପିର କିଛି ନେତାଙ୍କ ଦ୍ୱାରା ଟ୍ଵିଟରରେ ଏକ ଫଟୋ ପୋଷ୍ଟ କରାଯାଇଥିଲା, ଯାହାକୁ ସେମାନେ ଜେଓ୍ଵର ଏୟାରପୋର୍ଟ ବୋଲି କହିଥିଲେ। କିନ୍ତୁ ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଲୋକେ ଏକଦମ୍‌ ରାଗି ଯାଇଛନ୍ତି। ସେମାନେ ଦାବି କରିଛନ୍ତି କି, ଏହି ଫଟୋ ମିଛ। ସେପଟେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ମଧ୍ୟ ନିଜ ଟ୍ଵିଟ୍‌ରେ ଲେଖିଛନ୍ତି ଯେ ‘ଭାଜପାର ମିଥ୍ୟା କାମର ସବୁ ଫଟୋ ଉଧାର, ତା’ ହେଲେ ମିଛ ଦାବି କରୁଥିବା ଲୋକଙ୍କର ଚିନ୍ତାଧାରା ସଚ୍ଚୋଟ କିପରି’?

ବାସ୍ତବରେ, ଯୋଗୀ ସରକାରରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟା ନିଜ ଟ୍ଵିଟ୍‌ରେ ଏକ ଏୟାରପୋର୍ଟର ଫଟୋ ସେୟାର କରି ଲେଖିଥିଲେ ଯେ ‘ଏସିଆର ସବୁଠାରୁ ବଡ଼ ଏୟାରପୋର୍ଟ ରୂପରେ ନୋଏଡା ଅନ୍ତର୍ଜାତୀୟ ଏୟାରପୋର୍ଟ ୩୫୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛି। ଏହାଦ୍ୱାରା ୧ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଉପଲବ୍ଧ ହେବ ଏବଂ ଅଞ୍ଚଳର ବିକାଶ ମଧ୍ୟ ତ୍ୱରାନ୍ଵିତ ହେବ’।

ସେହିପରି ୟୁପି ସରକାରରେ ବିତ୍ତ ମନ୍ତ୍ରୀ ସୁରେଶ ଖାନ୍ନା ମଧ୍ୟ ସେହି ଫଟୋକୁ ସେୟାର କରି ଏହାକୁ ଜେଓ୍ଵର ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ବୋଲି କହିଥିଲେ। ବିଜେପି ନେତାମାନଙ୍କର ଏହି ଦାବିକୁ ସୋସିଆଲ ମିଡିଆରେ ଲୋକେ କିନ୍ତୁ ଖଣ୍ଡନ କରିଛନ୍ତି। ଲୋକଙ୍କ ଦାବି ହେଉଛି, ଯେଉଁ ଫଟୋକୁ ଜେଓ୍ଵର ଏୟାରପୋର୍ଟ ବୋଲି କୁହାଯାଉଛି, ତାହା ବାସ୍ତବରେ ଚୀନର ବେଜିଂଠାରେ ଥିବା ଦାକ୍ସିଙ୍ଗ୍‌ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର। ଯଦିଓ ପରେ କେଶବ ପ୍ରସାଦ ମୋର୍ଯ୍ୟା ନିଜର ଏହି ଟ୍ଵିଟ୍‌କୁ ଡିଲିଟ୍‌ କରି ଦେଇଥିଲେ। କିନ୍ତୁ ସୋସିଆଲ ମିଡିଆରେ ଲୋକେ ବିଜେପି ସରକାରକୁ ମିଛୁଆ ବୋଲି କହି ପ୍ରବଳ ବର୍ଷିଛନ୍ତି। ପ୍ରଜ୍ଜ୍ୱଲ ଯାଦବ (@PrajjawalkumarG) ନାମକ ୟୁଜର ଲେଖିଛନ୍ତି ‘ମିଛୁଆ ବିଜେପି ସରକାର’। ସେହିପରି ଅଲୀ ମୁର୍ତଜା (@ali_murtuza_) ଲେଖିଛନ୍ତି, ‘ଏ ତ ବେଜିଂର ଏୟାରପୋର୍ଟ’। ହସୀନ ରହମାନୀ (@HaseenBolta) ଲେଖିଛନ୍ତି, ‘ଏହି ଫଟୋ ବେଜିଂ ଏୟାରପୋର୍ଟର ମନ୍ତ୍ରୀ ଜୀ’।

କହି ରଖୁଛୁ, ଶିଳାନ୍ୟାସ ସହିତ ଏୟାରପୋର୍ଟର ପ୍ରଥମ ପର୍ଯ୍ୟାୟ କାମ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜେଓ୍ଵର ଏୟାରପୋର୍ଟଠାରୁ ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର ଦୂରତା ପାଖାପାଖି ୭୨ କିଲୋମିଟର ହେବ। ଜେଓ୍ଵରକୁ ମିଶାଇ ଉତ୍ତର ପ୍ରଦେଶକୁ ୫ମ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମିଳିଯିବ। ନିର୍ବାଚନ ଦୃଷ୍ଟିକୋଣରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସୂଚନା ମୁତାବକ, ଏହି ଏୟାରପୋର୍ଟ ନିର୍ମାଣରେ ୧୦,୦୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.