ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ : ଗରିବ କଲ୍ୟାଣ ଯୋଜନା ନଭେମ୍ବର ମାସ ପର‌୍ୟ୍ୟନ୍ତ ଜାରି ରହିବ

ଆଜି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍‌ଲକ୍‌-୧.୦ରେ ସମସ୍ତେ ଟିକେ କୋଭିଡ୍ ନିୟମ ପାଳନରେ ଢିଲା ହୋଇଛନ୍ତି । ଆଗ ଭଳି ଆମେ ଆଉ କରୋନାକୁ ପ୍ରତିହତ କରିବାର ନିୟମକୁ ଠିକ୍ ଭାବେ ପାଳନ କରୁନାହୁଁ । ତେବେ ଗାଁ ପ୍ରଧାନ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ସମସ୍ତେ ଆଇନ୍ କାନୁନର ଅଧୀନରେ । ନିୟମ ପାଳନ କରିବା ଉଚିତ ବୋଲି ମୋଦି କହିଛନ୍ତି । ସେ ଏକ ଉଦାହରଣ ଦେଇ କିଭଳି ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ମାସ୍କ ନପିନ୍ଧି ବାହାରକୁ ବାହାରିବା ଯୋଗୁଁ ତାଙ୍କୁ ଅର୍ଥଦଣ୍ଡ ଦିଆଯାଇଥିଲା ବୋଲି କହିଥିଲେ । ବର୍ତ୍ତମାନ ବର୍ଷା ଋତୁରେ କୋଭିଡ୍ ଠାରୁ ବର୍ତ୍ତିବା ପାଇଁ ଅଧିକ ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେହିଭଳି ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ଅଧିବାସୀ ସମସ୍ତେ ମିଳି ମିଶି କାମ କଲେ କରୋନାକୁ ହରାଇ ପାରିବା ବୋଲି ମୋଦି କହିଛନ୍ତି ।

ଗରିବ କଲ୍ୟାଣ ଯୋଜନା ଅବଧି ବଢ଼ିଲା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ କାର‌୍ୟ୍ୟକ୍ରମ ଆଗାମୀ ନଭେମ୍ବର ମାସ ପର‌୍ୟ୍ୟନ୍ତ ଜାରି ରହିବ । ଏହି ଅନ୍ତର୍ଗତ ୮୦ କୋଟି ଲୋକଙ୍କୁ ମାଗଣା ରାସନ୍ ଯୋଗାଇ ଦିଆଯିବ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ୫ କିଲୋ ଗହମ କିମ୍ବା ୫ କିଲୋ ଚାଉଳ । ପ୍ରତି ପରିବାରକୁ ୧ କିଲୋ ଡାଲି ଦିଆଯିବ । ଆହୁରି ମଧ୍ୟ ଏହି ଯୋଜନାରେ ଦେଶର ପ୍ରତ୍ୟେକ ଘରେ ଚୁଲି ଜଳିବା ପାଇଁ ୨୦ କୋଟି ଆକାଉଣ୍ଟରେ ୩୧ ହଜାର କୋଟି ଟଙ୍କା ଦିଆଯାଇଛି ।
ତେବେ ଏହି ସଂକଟ ସମୟରେ ଦେଶର ୧୩୦ କୋଟି ଲୋକ ଯଦି ମିଳିମିଶି କାମ କରିବେ ତେବେ ଦେଶ ଆଗେଇବ । କାମ କରିବା ଓ ଆଗକୁ ବଢ଼ିବା ଏଇ ଶପଥ ନେବା ସହ କୋଭିଡ୍ ନିୟମକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.