‘ଦ କଶ୍ମୀର ଫାଇଲ୍ସ’କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-ଏମିତି ଫିଲ୍ମ ମାଧ୍ୟମରେ ସତ ଜଣାପଡ଼େ

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦୀୟ ଦଳ ବୈଠକରେ ଏହି ଫିଲ୍ମ ବିଷୟରେ କହିବା ଅବସରରେ ମୋଦି ଦ କଶ୍ମୀର ଫାଇଲ୍ସକୁ ଖୁବ୍‌ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶ ସ୍ୱାଧୀନ ହେବା ପରର ମୁଖ୍ୟ ଘଟଣା ଓ ବିଶିଷ୍ଟ ଲୋକଙ୍କ ଉପରେ ଫିଲ୍ମ ତିଆରି ହେବା ଦରକାର। ଯେମିତି କି ‘କଶ୍ମୀର ଫାଇଲ୍ସ’ ତିଆରି ହୋଇଛି। ଏହା ଦ୍ୱାରା ଲୋକଙ୍କୁ ସତ୍ୟତା ଜଣାପଡ଼ିବ ଓ ବୁଝାପଡ଼ିବ ଯେ କେଉଁ ଘଟଣା ପାଇଁ କିଏ ଦାୟୀ। କିଏ ଭୁଲ କରିଛି ଓ ଠିକ୍‌ କରିଛି ସେ ବିଷୟରେ ଜଣାପଡ଼ିବ ବୋଲି ମୋଦି କହିଛନ୍ତି।


ପିଏମ୍‌ ମୋଦି କହିଛନ୍ତି, ମହାତ୍ମାଗାନ୍ଧୀଙ୍କ ବିଚାର ଓ ଆଦର୍ଶଙ୍କୁ ଦର୍ଶାଉଥିବା ଭଲ ଫିଲ୍ମ ନିର୍ମାଣ ହେବା ଉଚିତ। ଯାହା ଦ୍ୱାରା ସାରା ଦୁନିଆର ଲୋକ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିପାରିବେ। ଫଳରେ ସ୍ୱାଧୀନତା ବେଳେ ଘଟିଥିବା ଘଟଣା ଦୁର୍ଘଟଣା ସମ୍ପର୍କରେ ସମସ୍ତେ ଅତି ସ୍ପଷ୍ଟ ଭାବେ ଜ୍ଞାନ ପାଇପାରିବେ। ଏହା ଆମ ଦେଶକୁ ଆହୁରି ସମୃଦ୍ଧ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ମୋଦି।

ସୂଚନାଯୋଗ୍ୟ ଯେ ଏବେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ହତ୍ୟା ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ସାରା ଦେଶରେ ଆଲୋଚନା ଚାଲିଥିବା ବେଳେ ମଧ୍ୟ ପ୍ରଦେଶ ସରକାର ମଧ୍ୟ ନିକଟରେ ପୋଲିସ କର୍ମଚାରୀଙ୍କୁ ‘ଦ କଶ୍ମୀର ଫାଇଲ୍ସ’ ଦେଖିବାକୁ ଛୁଟି ଦେବାକୁ ଘୋଷଣା କରିଛନ୍ତି। ଦ କଶ୍ମୀର ଫାଇଲ୍ସ ମାର୍ଚ୍ଚ ୧୧ ତାରିଖରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି। ପ୍ରଥମ ଦିନ ହିଁ ଏହି ଫିଲ୍ମ ପାଖାପାଖି ୩.୫୫ କୋଟି ଟଙ୍କା ରୋଜଗାର କରିଛି। ଦିନକୁ ଦିନ ଏହାର ବେପାର ବଢ଼ି ବଢ଼ି ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.