ଛି! ରାତ୍ରି ପାଟ୍ରୋଲିଂ କରୁଥିଲା ପୋଲିସ, ଲୋଭ ହେବାରୁ ଘର ସାମ୍ନାରୁ ଚୋରାଇ ଆଣିଲା ଟେବୁଲ ଫ୍ୟାନ୍‌; ସିସିଟିଭି ଫୁଟେଜ୍‌ ଦେଖିବା ପରେ ଡରିକି ଫେରାଇ ଦେଲା

ପ୍ରାୟତଃ ସିସିଟିଭି କ୍ୟାମେରାରେ ଚୋରମାନେ ହିଁ ଚୋରି କରୁଥିବା ବେଳେ ଧରା ପଡ଼ନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥାଏ। ସୂଚନାଦାତାମାନଙ୍କୁ ଆଲର୍ଟ କରାଇବାକୁ ପଡ଼ିଥାଏ, ଏହାପରେ ହିଁ ମାମଲା ଉପରୁ ପର୍ଦ୍ଦା ହଟିଥାଏ। କିନ୍ତୁ ଟିକିଏ ଭାବନ୍ତୁ ତ, ଯଦି ସିସିଟିଭି କ୍ୟାମେରାରେ ପୋଲିସ ନିଜେ ହିଁ ଚୋରି କରୁଥିବାର ଦେଖାଯିବ, ତା’ ହେଲେ କ’ଣ ହେବ? ଏବେ ଠିକ୍‌ ଏମିତି ହିଁ ଏକ ଘଟଣା ଘଟିଛି ବିହାରର ଭାଗଲପୁରରେ। ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ନିଶ୍ଚୟ, କାରଣ, ଏଠି ପୋଲିସ ହିଁ ଚୋରର ସ୍ଥାନ ନେଇଛି। ଆସନ୍ତୁ ଜାଣିବା ପୂରା ଘଟଣାକ୍ରମ କ’ଣ ରହିଛି।

ଏଠାରେ ରାତ୍ରି ପାଟ୍ରୋଲିଂ କରୁଥିବା କିଛି ପୋଲିସ କର୍ମୀ ହଠାତ୍‌ ଏକ ସ୍ଥାନରେ ଗାଡ଼ି ଅଟକାଇଥିଲେ ଏବଂ ସେଠାରେ ଏକ ଘର ବାହାରେ ରଖା ହୋଇଥିବା ଟେବୁଲ ଫ୍ୟାନକୁ ଚୋରି କରି ନେଇ ଯାଇଥିଲେ। ଏହି ମାମଲା ବିଷୟରେ ଅବଗତ ହେବା କ୍ଷଣି ସ୍ଥାନୀୟ ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଅଞ୍ଚଳବାସୀ କିନ୍ତୁ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ଖବରରୁ ଜଣାପଡ଼ିଛି, ୨୬ ସେପ୍ଟେମ୍ବରରେ ଢୋଲବଜ୍ଜା ଥାନା ପୋଲିସ ରାତ୍ରି ପାଟ୍ରୋଲିଂ ପାଇଁ ବାହାରିଥିଲା। ପୋଲିସ ଟିମ୍‌ ଯେତେବେଳେ ବଜାର ଉପରେ ଟହଲ ମାରୁଥିଲା, ତ ସେତିକି ବେଳେ ସେମାନଙ୍କ ନଜର ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଘର ବାହାରେ ଥିବା ଏକ ପଙ୍ଖା ଉପରେ ପଡ଼ିଥିଲା। ବିଳମ୍ବିତ ରାତି ପାଖାପାଖି ୧ଟାରେ ପୋଲିସ ଟିମ୍‌ ସେଠାରେ ଗାଡ଼ି ଅଟକାଇଥିଲା ଏବଂ ରଖା ହୋଇଥିବା ଟେବୁଲ୍‌ ଫ୍ୟାନକୁ ଉଠାଇ ଚମ୍ପଟ ମାରିଥିଲା।

ସେପଟେ ସକାଳୁ ଯେତେବେଳେ ବ୍ୟକ୍ତି ଜଣକ ଉଠିଥିଲେ, ତ ତାଙ୍କ ଟେବୁଲ୍‌ ଫ୍ୟାନ ଗାଏବ ଥିବାର ଦେଖିବାକୁ ପାଇଥିଲେ। ଏ ନେଇ ସେ ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲେ, ହେଲେ କେଉଁଠି ବି ପଙ୍ଖା ପାଇ ନ ଥିଲେ। ଏମିତି ସ୍ଥିତିରେ କେହି ଜଣେ ତାଙ୍କ ଘର ପାଖ ସିସିଟିଭି ଫୁଟେଜ୍‌କୁ ଚେକ୍‌ କରିବାକୁ କହିଥିଲେ। ଏହାପରେ ବ୍ୟକ୍ତି ଜଣକ ସିସିଟିଭି ଫୁଟେଜ୍‌ ଚେକ୍‌ କରିବାରୁ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହି ନ ଥିଲା। ଏହାର ତୁରନ୍ତ ପରେ ସେ ଥାନାରେ ପହଞ୍ଚିଥିଲେ ଏବଂ ପୋଲିସକୁ ପଙ୍ଖା ବିଷୟରେ ପଚାରିଥିଲେ। କିନ୍ତୁ ପୋଲିସ କର୍ମୀମାନେ ପଙ୍ଖା ଆଣି ନ ଥିବା କହି ବ୍ୟକ୍ତିଙ୍କୁ ଥାନାରୁ ଭଗେଇ ଦେଇଥିଲେ।

ଏହାପରେ ବ୍ୟକ୍ତି ଜଣକ ଘରକୁ ଫେରି ସିସିଟିଭିରୁ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ ଏବଂ ଏହାକୁ ଧରି ଥାନାରେ ପହଞ୍ଚିଥିଲେ। ଭିଡିଓ ଦେଖିବା ପରେ ପୋଲିସ କର୍ମୀମାନେ ଡରି ଯାଇଥିଲେ। କାହିଁକି ନା, ସେମାନଙ୍କ ଚୋରି ଧରାପଡ଼ିଥିଲା। ମାମଲା ବଢ଼ିବା ଆଗରୁ ପୋଲିସ ଉକ୍ତ ପଙ୍ଖାକୁ ଫେରାଇ ଦେଇଥିଲା। ତେବେ ଏହି ଘଟଣାରେ ଥାନା ଅଧିକାରୀ କହିଛନ୍ତି କି, ଭଙ୍ଗାରୁଜା ଅବସ୍ଥାରେ ପଙ୍ଖାଟି ମିଳିଥିଲା। କର୍ମୀମାନେ ତାହାକୁ ସାଥୀରେ ଧରି ଚାଲି ଆସିଥିଲେ। ଏପରି କି, ପାଖ ଘରର କବାଟ ବାଡ଼େଇବା ସତ୍ତ୍ୱେ କେହି କିଛି କହି ନ ଥିଲେ। ଏବେ ପଙ୍ଖାଟିକୁ ଉକ୍ତ ବ୍ୟକ୍ତିଙ୍କୁ ଫେରାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.