ପ୍ରେମିକଠୁ ଛଡ଼ାଇ ନେଇ ପ୍ରେମିକାକୁ ଗଣଦୁଷ୍କର୍ମ, ଆତ୍ମହତ୍ୟା କଲା ପ୍ରେମିକ
ହଜି ଯାଉଛି ମାନବିକତା । ମଣିଷ ପାଲଟି ଯାଉଛି ପଶୁ । ରାକ୍ଷସ ଠାରୁ ବି ହୀନ କାମ କରି ଚାଲିଛି । ଏମିତି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ରାଜସ୍ଥାନ ଉଦୟପୁରରେ । ଦୁର୍ବୃତ୍ତମାନେ ଜଣେ ଯୁବକକୁ ଦରମରା କରି ତାଙ୍କ ଗର୍ଭବତୀ ପ୍ରେମିକାଙ୍କୁ ତାଙ୍କ ଠାରୁ ଛଡ଼ାଇ ନେଲେ । ଆଉ ଲଗାତର ଅନେକ ଦିନ ଧରି ଗଣଦୁଷ୍କର୍ମ କରିଥିଲେ । ଏପଟେ ଲୋକଲଜ୍ଜାରେ ପ୍ରେମିକ ଜଣକ ଆତ୍ମହତ୍ୟା କରିଦେଲେ ।
ଯଦିଓ ଦୁଷ୍କର୍ମ ଘଟଣା ଗତ ଜୁଲାଇ ୧୩ ତାରିଖରେ ଘଟିଥିଲା ତେବେ ପୋଲିସ୍ ଏସବୁ ଜାଣିବାକୁ ପାଇଲା ଏବେ । ଏହି ଘଟଣାରେ ପୋଲିସ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଆଉ ଉଦ୍ଧାର କରିଛି ପୀଡ଼ିତାଙ୍କୁ । ତା ପରେ ଜଣାପଡ଼ିଛି ସମ୍ପୂର୍ଣ୍ଣ ଘଟଣା ।
ପୀଡ଼ିତାଙ୍କ ବୟାନ ଅନୁଯାୟୀ ସେ ଓ ତାଙ୍କ ପ୍ରେମିକ ଜୁଲାଇ ୧୩ ତାରିଖରେ ଏକ ବାଇକ୍ ଯୋଗେ ଉଦୟପୁର ସ୍ଥିତ ନିଜ ଗାଁକୁ ଫେରୁଥିଲେ । ବାଟରେ ସେମାନଙ୍କୁ ଅଟକାଇଥିଲେ ତିନି ଜଣ ଯୁବକ ସୁନୀଲ, ବିକାଶ ଓ ଜିତେନ୍ଦ୍ର । ସେମାନେ ଖଣ୍ଡା ଓ ରଡ୍ରେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯୁବକ ଜଣକ ଅଚେତ ହୋଇଯିବା ପରେ ସେମାନେ ତାକୁ ମରି ଯାଇଛି ଭାବି ରାସ୍ତା କଡ଼ରେ ଫିଙ୍ଗ ଦେଇ ଯୁବତୀକୁ ଅପହରଣ କରି ଚାଲି ଯାଇଥିଲେ । ଏମିତିକି ଯୁବକର ମୋବାଇଲ ମଧ୍ୟ ନେଇ ଯାଇଥିଲେ ।
ଏହାପରେ ଯୁବତୀଙ୍କୁ ଏକ ପରିତ୍ୟକ୍ତ ବସ୍ଷ୍ଟାଣ୍ଡକୁ ନେଇ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତମାନେ । ପୁଣି ଏହି ଘୃଣ୍ୟ କାମରେ ଆଉ ଦୁଇଜଣ ସାଙ୍ଗଙ୍କୁ ସାମିଲ କରିଥିଲେ । ଯୁବତୀ ଜଣକ ଥିଲେ ଦେଢ଼ ମାସର ଗର୍ଭବତୀ । ଏପଟେ ଚେତା ଫେରିବା ପରେ ପ୍ରେମିକ ଜଣକ ଘରକୁ ଫେରିଥିଲେ ମଧ୍ୟ ନିଜ ପ୍ରେମିକାକୁ ବଞ୍ଚାଇ ପାରିନଥିବାରୁ ପଶ୍ଚାତାପ କରୁଥିଲେ । ଆଉ ଲୋକଲଜ୍ଜା ଭୟରେ ଘଟଣାର ତିନି ସପ୍ତାହ ପରେ ଆତ୍ମହତ୍ୟା କରିଥିଲେ ।
ଯୁବକର ଆତ୍ମହତ୍ୟା ଘଟଣାର ତଦନ୍ତ କରୁ କରୁ ଜଣେ ଅଭିଯୁକ୍ତ ଠାରୁ ପୋଲିସ୍କୁ ମିଳିଥିଲା ଯୁବକର ମୋବାଇଲ୍ଟି । ସେଥିରେ ପୀଡ଼ିତା କଲ୍ ରହିଥିଲା । ସେହି ନମ୍ବରକୁ ଆଧାର କରି ପୋଲିସ୍ ପହଞ୍ଚିଥିଲା ଦୁଷ୍କର୍ମ ପୀଡ଼ିତା ପାଖରେ । ତାକୁ ଉଦ୍ଧାର କରିଥିଲା । ଆଉ ଗିରଫ କରିଥିଲା ୫ ଜଣ ଯାକ ଅପରାଧୀଙ୍କୁ । ସେମାନଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ସୁନୀଲ ଚାରପୋଟା ନାଁରେ ଏକାଧିକ ମାମଲା ରହିଛି । ଏମିତିକି ତାକୁ ଧରିବା ପାଇଁ ପୋଲିସ୍ ପୁରସ୍କାର ମଧ୍ୟ ଘୋଷଣା କରିଥିଲା । ସେମାନଙ୍କ ବିରୋଧରେ ଅପହରଣ ଓ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଏପଟେ ପ୍ରାୟ ଏକ ମାସ ଧରି ଅଭିଯୁକ୍ତମାନଙ୍କ ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହୋଇଥିବା ମହିଳା ଜଣକ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ଗର୍ଭପାତ ହୋଇଛି । ଆଉ ଅଭିଯୁକ୍ତମାନେ ଜେଲ୍ରେ ।