ରାଫେଲ ସହ ପ୍ରତିରକ୍ଷା କିଣାବିକା ନେଇ ଆଜି ଆସିବ ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ବାରମ୍ବାର ଦାବି ପରେ ଆଜି ସଂସଦରେ ଉପସ୍ଥାପିତ ହେବ ରାଫେଲ ବିମାନ କିଣା ସଂପର୍କୀତ ସିଏଜି ରିପୋର୍ଟ। ଏଥିପାଇଁ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଅନୁମତି ଦେଇଛନ୍ତି । ରାଫେଲ ଡିଲ ନେଇ ଦେଶରେ ଚର୍ଚ୍ଚା ଲାଗି ରହିଥିବାରୁ ସିଏଜି ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ଷୋଡ଼ଶ ଲୋକସଭାର ଶେଷ କାର‌୍ୟ୍ୟ ଦିବସ ହୋଇଥିବାରୁ ତା ପୂର୍ବରୁ ରିପୋର୍ଟକୁ ସଂସଦର ଉଭୟ ଗୃହରେ ଆଗତ କରାଯିବ । ପ୍ରତିରକ୍ଷା ସଂପର୍କିତ ସମସ୍ତ ଫାଇଲକୁ ପ୍ରତିରକ୍ଷା ମନ୍ତ୍ରାଳୟ ସିଏଜି ନିକଟକୁ ପଠାଇଥିଲା। ଏହାର ଅଡିଟ ଶେଷ ହେବା ପରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା ।

ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ କିଣାରେ ପୂର୍ବରୁ ୟୁପିଏ ସରକାର ଅମଳର ଚୁକ୍ତି ପରିମାଣ ଠାରୁ ବର୍ତ୍ତମାନର ଏନଡିଏ ସରକାରଙ୍କ ଚୁକ୍ତି ପରିମାଣ ବହୁ ଅଧିକ ଥିବା ଅଭିଯୋଗ କରିଛି କଂଗ୍ରେସ। ପ୍ରଧାନମନ୍ତ୍ରୀଙ୍କ ଚାପରେ ଏହାକୁ ହାଲ ବଦଳରେ ରିଲାଏନସ୍ ଡିଫେନ୍ସକୁ ପ୍ରଦାନ କରାଯାଇଥିଲା ବୋଲି କହିଛି। ସେପଟେ ବର୍ତ୍ତମାନର ସିଏଜି ରାଜୀବ ମହର୍ଷିଙ୍କ ରିପୋର୍ଟ ଉପରେ ଆପତ୍ତି ଉଠାଇଛି କଂଗ୍ରେସ। ୨୦୧୫ରେ ରାଫେଲ ଡିଲ ଘୋଷଣା ବେଳେ ରାଜୀବ ମହର୍ଷି କେନ୍ଦ୍ର ଅର୍ଥ ସଚିବ ଭାବେ କାର‌୍ୟ୍ୟ କରୁଥିଲେ। ସେ ବର୍ତ୍ତମାନ ସିଏଜି ଥିବାରୁ ରିପୋର୍ଟର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା କପିଲ ସିବଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.