ଓଭରସ୍ପୀଡିଙ୍ଗ୍‌ ଯୋଗୁ ଦୁଇ ଦୁଇଥର କଟିଛି ରିଷଭ୍‌ ପନ୍ତଙ୍କ ମର୍ସିଡିଜ୍‌ର ଚାଲାଣ; ୟୁପି ପୋଲିସ ପଠାଇଥିଲା ନୋଟିସ୍‌

ଭାରତୀୟ ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କର ଶୁକ୍ରବାର ସକାଳେ ବଡ଼ ଧରଣର ଆକ୍ସିଡେଣ୍ଟ ହୋଇଛି, ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ତାଙ୍କ ମର୍ସିଡିଜ୍ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାସ୍ତା ଡିଭାଇଡର୍ ସହ ଗାଡ଼ି ପିଟି ହୋଇଯିବାରୁ ରିଷଭ ପନ୍ତଙ୍କୁ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କ କାରଟି ମଧ୍ୟ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ପନ୍ତଙ୍କ ମୁତାବକ, ଆଖି ଲାଗିଯିବାରୁ ସେ କାର୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ, ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା। କିନ୍ତୁ ପନ୍ତଙ୍କର ପୂର୍ବରୁ ମଧ୍ୟ ଓଭରସ୍ପୀଡିଙ୍ଗ୍‌ ଯୋଗୁ ଦୁଇ ଦୁଇଥର ଚାଲାଣ କଟି ସାରିଛି। ଦ୍ରୁତ ବେଗରେ ଗାଡି ଚଳାଇବା କାରଣରୁ ୟୁପିରେ ତାଙ୍କର ଦୁଇଥର ଚାଲାଣ କଟିଛି।

ଉତ୍ତର ପ୍ରଦେଶ ପୋଲିସ ଟ୍ରାଫିକ ନିର୍ଦ୍ଦେଶାଳୟ ଚାଲାଣ ରାଶି ଜମା କରିବା ପାଇଁ ତାଙ୍କୁ ନୋଟିସ ମଧ୍ୟ ପଠାଇଛି। ଚଳିତ ବର୍ଷ ୨୨ ଫେବୃୟାରୀ ରାତି ୧୧ଟା ୩୦ରେ ରିଷଭ ପନ୍ତଙ୍କ ମର୍ସିଡିଜ୍ (DL10CN1717) ଟ୍ରାଫିକ୍ ନିୟମ ଭାଙ୍ଗିଥିଲା। ଦ୍ରୁତ ଗତିରେ ଚାଲୁଥିବା କାର କ୍ୟାମେରାରେ କଏଦ ହୋଇଥିଲା। ଏହାପରେ ମୋଟର ଯାନ ଅଧିନିୟମ ଅଧୀନରେ ତାଙ୍କୁ ୨୦୦୦ ଟଙ୍କାର ଚାଲାଣ ପଠାଯାଇଥିଲା, ଯାହାକି ଏ ପର୍ଯ୍ୟନ୍ତ ଭରଣା ହୋଇପାରି ନାହିଁ।

ଏହାପରେ ମେ’ ୨୫ ଅପରାହ୍ନ ୫ଟାରେ ତାଙ୍କ କାରର ଗତି ସୀମା ଉଲ୍ଲଂଘନ କରିଥିଲା। ଫଳରେ ପୁଣିଥରେ ତାଙ୍କୁ ୨୦୦୦ ଟଙ୍କାର ଚାଲାଣ ପଠାଯାଇଥିଲା। ୟୁପି ସରକାରଙ୍କ ପରିବହନ ବିଭାଗ ମୁତାବକ, ରିଷଭ ପନ୍ତଙ୍କ ତରଫରୁ ଉଭୟ ଚାଲାଣ ରାଶି ଏ ଯାଏ ଜମା କରାଯାଇ ନାହିଁ।

video courtesy: Zee News

ତେବେ ଶୁକ୍ରବାର ସକାଳେ ଯେଉଁ ସମୟରେ ଗାଡ଼ି ଦୁର୍ଘଟଣା ଘଟିଥିଲା, ସେହି ସମୟରେ ପଛରେ ଆସୁଥିବା ହରିୟାଣା ରୋଡୱେଜ୍‌ ବସ୍‌ର ଡ୍ରାଇଭର ସୁଶୀଲ କୁମାର ଓ କଣ୍ଡକ୍ଟର କାର ଦୁର୍ଘଟଣା ଦେଖି ୧୧୨ ନମ୍ବରକୁ ଫୋନ କରିଥିଲେ। ଏଥିରୁ ସେମାନଙ୍କୁ ତୁରନ୍ତ ସାହାଯ୍ୟ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.