ୟୁକ୍ରେନ୍ ଉପରେ ତୁହାକୁ ତୁହା ମିସାଇଲ୍ ମାଡ଼ କରୁଛି ରୁଷ, ମାଇନସ୍ ତାପମାତ୍ରାରେ ଫସିଛନ୍ତି ହଜାର ହଜାର ଭାରତୀୟ

ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବିଧ୍ୱଂସକ ହେବାରେ ଲାଗିଛି। ଏବେ ରୁଷ ସେନା ପୂରା ୟୁକ୍ରେନ୍କୁ ଘେରିସାରିଲେଣି। ରୁଷ ସେନା ୟୁକ୍ରେନ୍ର ରାଜଧାନୀ କିଭ୍କୁ କବ୍ଜା କରିବାକୁ ପୂରା ଚେଷ୍ଟା ଚଳାଇଛି। କିଭ୍ ବ୍ୟତୀତ ଖାରକିଭ୍ରେ ମଧ୍ୟ ରୁଷ ସେନା ପକ୍ଷରୁ ଆକ୍ରମଣ ଜାରି ରହିଛି। ସେଠାରେ ସ୍ଥିତି ଅତି ଖରାପ ହେବାରେ ଲାଗିଛି।
ଖାର୍କିଭ୍ର ସ୍ଥିତି ଧୀରେ ଧୀରେ ଶୋଚନୀୟ ହେବାରେ ଲାଗିଛି। ସହରର ବିଭିନ୍ନ ସ୍ଥାନରେ ମିସାଇଲ୍ ଆକ୍ରମଣ କରାଯାଉଛି। ସହରରେ ଏବେ ମାଇନସ୍ରେ ରହିଛି ତାପମାତ୍ରା। ଏଭଳି ସ୍ଥିତିରେ ହଜାର ହଜାର ଭାରତୀୟ ଛାତ୍ର ଖାର୍କିଭ୍ ସହରରେ ଫସି ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତିରୁ ହିଁ ଖାରକିଭ୍ ଓ ସୁମୀରେ ଏୟାର ସାଇରନ୍ ଶୁଣିବାକୁ ମିଳୁଛି। ଲଗାତାର ବଡ଼ ବଡ଼ ଆକ୍ରମଣ ଚେତାବନୀ ଦିଆଯାଉଛି। ଫଳରେ ଫସିଥିବା ଭାରତୀୟ ଚିନ୍ତାରେ ଅଛନ୍ତି।
#Ukraine, Kharkiv. When Russia comes, the peaceful life is destroyed. The building of the Faculty of Sociology of Karazin National University is one fire. pic.twitter.com/GB1jPVUGcJ
— Hanna Liubakova (@HannaLiubakova) March 2, 2022
ଭାରତୀୟ ଛାତ୍ରଙ୍କ ସମେତ କିଛି ୟୁକ୍ରେନ୍ ନାଗରିକ ବି ଖାରକିଭ୍ ଓ ସୁମୀ ଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି। ଛୋଟ ଛୁଆ ଓ ମହିଳା ଏଥିରେ ସଫଳ ହୋଇଥିବା ବେଳେ ୨୫ରୁ ୩୦ ବର୍ଷୀୟ ଯୁବକଙ୍କୁ କିନ୍ତୁ ଦେଶ ଛାଡ଼ିବାକୁ ଅନୁମତି ଦିଆଯାଉ ନାହିଁ। ସରକାରଙ୍କ ନିର୍ଦ୍ଦେଶ ରହିଛି ଯେ ସମସ୍ତ ପୁରୁଷ ରୁଷ ବିରୋଧରେ ଯୁଦ୍ଧରେ ସକ୍ରିୟ ଭୂମିକା ଗ୍ରହଣ କରିବେ। ସେମାନଙ୍କୁ ନିଜ ଦେଶର ସୁରକ୍ଷା ପାଇଁ ବନ୍ଧୁକ ଧରି ଲଢ଼େଇ କରିବାକୁ ହେବ।
ସୂଚନା ମୁତାବକ, ଖାରକିଭ୍ରେ ଥିବା ଏକ ହସ୍ପିଟାଲ ଉପରେ ମଧ୍ୟ ରୁଷ ସେନା ଆକ୍ରମଣ କରିଛି। ଫଳରେ ସେଠାରେ ସ୍ଥିତି ସାଂଘାତିକ ରହିଛି। ରୋଗୀମାନେ ପ୍ରାଣ ବିକଳରେ ହସ୍ପିଟାଲରୁ ଦୌଡ଼ି ପଳାଇଯାଉଥିବା ଦେଖିବାକୁ ମିଳିଛି।