ନିର୍ବାଚନ ବେଳେ ଭୋଟରଙ୍କୁ ମାଗଣା ପ୍ରତିଶ୍ରୁତି ଦେଉଛନ୍ତି ରାଜନୈତିକ ଦଳ, ମାମଲା ସୁପ୍ରିମ୍‌ କୋର୍ଟରେ! କେନ୍ଦ୍ର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ୍‌

ନିର୍ବାଚନରେ ଜନସାଧାରଣଙ୍କୁ ମାଗଣା ଜିନିଷ ଦେବାର ପ୍ରତିଶ୍ରୁତି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏକ ପିଟିସନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାର ଏବଂ ଭାରତ ନିର୍ବାଚନ ଆୟୋଗ (ECI)ଙ୍କୁ ନୋଟିସ ଜାରି କରିଛନ୍ତି। ଏହି ପିଟିସନରେ ନିବେଦନ କରାଯାଇଛି କି, ସାର୍ବଜନିକ ଧନ ବ୍ୟବହାର କରି ମାଗଣା ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଗୁଡ଼ିକର ଦଳୀୟ ଚିହ୍ନକୁ ଜବତ କରାଯାଉ। ଏଥି ସହିତ ସମ୍ପୃକ୍ତ ଦଳଗୁଡ଼ିକୁ ଅଣ-ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।

ବାର୍ ଆଣ୍ଡ ବେଞ୍ଚ ଅନୁସାରେ, ଭାରତୀୟ ଜନତା ପାର୍ଟି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଏହାକୁ ନେଇ ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନଭି ରମଣ, ଜଷ୍ଟିସ୍ ଏଏସ୍ ବୋପନ୍ନା ଓ ଜଷ୍ଟିସ୍ ହିମା କୋହଲି ଏହି ପିଟିସନର ଶୁଣାଣି କରିଛନ୍ତି। ବେଞ୍ଚ କହିଛନ୍ତି କି, ପିଟିସନରେ ଗୁରୁତର ପ୍ରସଙ୍ଗ ଉଠାଯାଇଛି। ଯଦିଓ ବେଞ୍ଚ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ଆବେଦନକାରୀଙ୍କ ତରଫରୁ କେବଳ ବଛା ବଛା ଦଳର ନାମ ହିଁ ଉଲ୍ଲେଖ କରାଯାଇଛି।

ସିଜେଆଇ କହିଛନ୍ତି, ‘ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ମାଗଣା ବିତରଣର ବଜେଟ୍ ନିୟମିତ ବଜେଟଠାରୁ ଅଲଗା ହୋଇଥାଏ। ଯଦିଓ ଏହା ଭ୍ରଷ୍ଟ କାର୍ଯ୍ୟ ନୁହେଁ, କିନ୍ତୁ ଏହା ମଇଦାନରେ ଅସମାନତା ସୃଷ୍ଟି କରିଥାଏ’। ଏହା ବ୍ୟତୀତ ସିଜେଆଇ କହିଛନ୍ତି, ‘ଆପଣ ଆଫିଡେଭିଟରେ କେବଳ ଦୁଇଟି ନାମ ସାମିଲ କରିଛନ୍ତି’। ପିଟିସନରେ ପଞ୍ଜାବ ବିଧାନସଭା ନିର୍ବାଚନରେ ହୋଇଥିବା ଘୋଷଣାଗୁଡ଼ିକୁ ଦର୍ଶାଯାଇଛି। ଏଥିରେ ଆମ୍ ଆଦମୀ ପାର୍ଟି, ଶିରୋମଣି ଅକାଳୀ ଦଳ ଓ କଂଗ୍ରେସର ନାମ ସାମିଲ ଅଛି।

ଆବେଦନକାରୀ କହିଛନ୍ତି କି, ମାଗଣା ପ୍ରତିଶ୍ରୁତିଗୁଡ଼ିକ ଚିନ୍ତାଜନକ ସ୍ତରରେ ପହଞ୍ଚି ଯାଇଛି। ଉପାଧ୍ୟାୟ ଏହା ଘୋଷଣା କରିବାକୁ ମଧ୍ୟ ପ୍ରାର୍ଥନା କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ସାର୍ବଜନିକ ଧନ ଜରିଆରେ ମତଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା ଜିନିଷର ପ୍ରତିଶ୍ରୁତି କିମ୍ବା ବିତରଣ କରିବା ହେଉଛି ସମ୍ବିଧାନର ଧାରା ୧୪, ୧୬୨, ୨୬୬(୩) ଏବଂ ୨୮୨ର ଉଲ୍ଲଂଘନ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଡଭୋକେଟ୍ ବିକାଶ ସିଂ କହିଛନ୍ତି, କିଛି ରାଜ୍ୟ ଅଛନ୍ତି, ଯାହାଙ୍କ ଉପରେ ପ୍ରତି ବ୍ୟକ୍ତି ପାଇଁ ୩ ଲକ୍ଷ ଟଙ୍କାର ଋଣ ବୋଝ ରହିଛି। ଏହା ପରେ ବି ମାଗଣା ଘୋଷଣା କରାଯାଉଛି। ବେଞ୍ଚ ପକ୍ଷରୁ ଏହି ମାମଲାରେ ନୋଟିସ୍‌ ଜାରି କରାଯାଇଛି। ସେପଟେ ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.