ଦିଲ୍ଲୀରେ ହରିୟାଣା ଭଳି ଦୁର୍ଘଟଣା: ସ୍କୁଟି ଓ ଅଟୋକୁ ଧକ୍କା ଦେଲା ସ୍କୁଲ ବସ୍‌, ୧ ମୃତ; ଅନେକ ଆହତ

ଦିଲ୍ଲୀରେ ହରିୟାଣା ଭଳି ଦୁର୍ଘଟଣା । ଏଠାରେ ଆଇଟିଓ ନିକଟରେ ଆଜି ସକାଳେ ଏକ ସ୍କୁଲ ବସ୍‌ ସ୍କୁଟି ଓ ଅଟୋକୁ ଧକ୍କା ଦେଇଛି ।

ଦିଲ୍ଲୀରେ ହରିୟାଣା ଭଳି ଦୁର୍ଘଟଣା । ଏଠାରେ ଆଇଟିଓ ନିକଟରେ ଆଜି ସକାଳେ ଏକ ସ୍କୁଲ ବସ୍‌ ସ୍କୁଟି ଓ ଅଟୋକୁ ଧକ୍କା ଦେଇଛି । ଏହି ଭୀଷଣ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନା ମୁତାବକ, ଲକ୍ଷ୍ମୀ ନଗରରୁ ଆସୁଥିବା ଏହି ସ୍କୁଲ ବସ୍‌ ହଠାତ୍‌ ଅନିୟନ୍ତ୍ରିତ ହୋଇ ଏକ ସ୍କୁଟି ଏବଂ ଅଟୋକୁ ପଛପଟୁ ଧକ୍କା ଦେଇଥିଲା ।

ହରିୟାଣାର ମହେନ୍ଦ୍ରଗଡ଼ରେ ସ୍କୁଲ ବସ୍ ଦୁର୍ଘଟଣାକୁ ଦୁଇ ଦିନ ବିତି ନ ଥିବାବେଳେ ଏବେ ଦିଲ୍ଲୀରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଶୁକ୍ରବାର ସକାଳେ ଦିଲ୍ଲୀରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ସ୍କୁଟି ଏବଂ ଅଟୋ ରିକ୍ସାକୁ ଜୋରଦାର ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି । ୩ ଜଣ ପିଲାଙ୍କ ସହ ଅନ୍ୟ ୫ ଜଣ ଆହତ ହୋଇଛନ୍ତି ।

ପୋଲିସ କହିଛି ଯେ ଏହି ଦୁର୍ଘଟଣା ସକାଳ ୭ଟା ୩୦ ମିନିଟ୍‌ ସମୟରେ ITO ନିକଟରେ ଘଟିଥିଲା । ବସ୍‌ରେ ୪୨ ଜଣ ପିଲା ଥିଲେ, ଯେଉଁମାନଙ୍କୁ ନେଇ ବସ୍‌ଟି ମଧ୍ୟଦିଲ୍ଲୀସ୍ଥିତ ଏକ ସ୍କୁଲକୁ ଯାଉଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆଇଟିଓ ରେଡ୍ ଲାଇଟ୍ ନିକଟରେ ବସ୍ ଡ୍ରାଇଭର ଠିକ୍ ସମୟରେ ବ୍ରେକ୍ ମାରିପାରି ନ ଥିଲେ, ଯେଉଁ କାରଣରୁ ବସ୍‌ଟି ଅନିୟନ୍ତ୍ରିତ ହୋଇ ସ୍କୁଟି ଏବଂ ଅଟୋ ରିକ୍ସାକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟି ଚାଳକ ବସ୍‌ର ତଳ ଭାଗରେ ଫସି ଯାଇଥିଲେ । ଏଥିରେ ଅଟୋ ଚାଳକଙ୍କୁ ମଧ୍ୟ ଗୁରୁତର ଆଘାତ ଲାଗିଛି । ଦୁର୍ଘଟଣାରେ ସ୍କୁଟି ଚାଳକ ଅଭିଷେକ ଜୈନଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଆହତ ଅଟୋ ଡ୍ରାଇଭର ମହେଶ କୁମାର ଓ ବସ୍‌ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୋଲିସର କହିବା ହେଲା, ସ୍କୁଟି ଚାଳକ ଅଭିଷେକ ଜୈନଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ଏହି ଦୁର୍ଘଟଣାରେ ତିନିଜଣ ସ୍କୁଲ ପିଲା ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କ ବୟସ ୧୧ରୁ ୧୫ ବର୍ଷ ମଧ୍ୟରେ ବୋଲି କୁହାଯାଉଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ କହିଛି ଯେ ଏହି ଘଟଣାରେ ମାମଲା ରୁଜୁ କରି ମୃତକ ଏବଂ ଆହତଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.