ପାର୍ଟିରେ ମଦ ସରିଯିବାରୁ ସାନିଟାଇଜର ପିଇଦେଲେ ଲୋକେ; ୭ ମୃତ, ୨ କୋମାରେ

ପାର୍ଟିରେ ମଦ ସରିଯିବାରୁ ସାନିଟାଇଜର ପିଇଲେ ଲୋକେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏଭଳି ଅଦ୍ଭୁତ ଘଟଣା ଘଟିଛି ଋଷରେ। ଋଷର ଏକ ଗାଁ ତୋମତୋରରେ ଘଟିଥିବା ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ କୋମାକୁ ଚାଲିଯାଇଛନ୍ତି।
ଗାଁର ମୋଟ ୯ ଜଣ ହ୍ୟାଣ୍ଡ ସାନିଟାଇଜର ସେବନ କରିଥିଲେ। ଏହି ଘଟଣାରେ ପ୍ରଥମେ ଜଣେ ୪୧ ବର୍ଷୀୟା ମହିଳା, ୨୭ ଓ ୫୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଥିଲା। କିଛି ସମୟ ପରେ ଅନ୍ୟ ୬ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସମସ୍ତଙ୍କୁ ରାଜ୍ୟର ରାଜଧାନୀ ୟାକୁସ୍ତକ୍ ସ୍ଥାନାନ୍ତର କରାଯାଇଥିଲା।
ୟାକୁସ୍ତକ୍ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ ଜଣ କୋମାକୁ ଚାଲିଯାଇଥିଲେ। ଫେଡେରାଲ ପବ୍ଲିକ ହେଲଥ ଓ୍ଵାଚ୍ଡଗ୍ ଏକ ବୟାନରେ କହିଛନ୍ତି ଯେ ସାନିଟାଇଜର ଯୋଗୁ ବିଷକ୍ରିୟା ହୋଇ ମୃତ୍ୟୁ ଘଟିଥିବା ନେଇ ମାମଲା ରୁଜୁ କରାଯାଇଛି।
ରିପୋର୍ଟ ମୁତାବକ ପାର୍ଟିରେ ଯାଇଥିବା ଲୋକେ ମଦ ସରିଯିବାରୁ ସାନିଟାଇଜର ପିଇବା ଆରମ୍ଭ କରିଦେଇଥିଲେ। ସେମାନେ ପିଇଥିବା ସାନିଟାଇଜରରେ ୬୯ ପ୍ରତିଶତ ମିଥେନଲ ଥିଲା। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସାନିଟାଇଜର ନ ପିଇବାକୁ ସଚେତନ କରାଯାଇଛି। ଏହା ଦ୍ୱାରା ଜୀବନ ଯାଇପାରେ ବୋଲି ସତର୍କ କରାଯାଇଛି।