ଜମ୍ମୁ-କାଶ୍ମୀର ଓ ଲଦାଖରେ ପ୍ରବଳ ବର୍ଷା ସହ ଅଦିନିଆ ତୁଷାରପାତ, ୨ ଯବାନଙ୍କ ସମେତ ୫ ମୃତ

ଲଦାଖ ଓ ଜମ୍ମୁ-କାଶ୍ମୀରରେ ଲଗାତାର ତୃତୀୟ ଦିନ ପ୍ରବଳ ବର୍ଷା ଏବଂ ଅଦିନିଆ ତୁଷାରପାତ ଜାରି ରହି ୨ ଯବାନଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି।

ଲଦାଖ ଓ ଜମ୍ମୁ-କାଶ୍ମୀରରେ ଲଗାତାର ତୃତୀୟ ଦିନ ପ୍ରବଳ ବର୍ଷା ଏବଂ ଅଦିନିଆ ତୁଷାରପାତ ଜାରି ରହି ୨ ଯବାନଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି ଯେ ପୁଞ୍ଛ ଜିଲ୍ଲାରେ ରବିବାର ୨ ଜଣ ଯବାନ ଏକ ଝରଣାକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ବନ୍ୟା ପାଣି ମାଡ଼ି ଆସିଥିଲା। ଏଥିରେ ଭାସିଯାଇ ଯବାନଦ୍ୱୟ ପ୍ରାଣ ହରାଇଛନ୍ତି।

ଅନ୍ୟ ଏକ ଘଟଣାରେ ଡୋଡାରେ ଭଙ୍ଗରୁନ୍ ଥାଥରୀ-ଗନ୍ଦୋହ ଗ୍ରାମ ରାସ୍ତାରେ ହଠାତ୍‌ ଭୂସ୍ଖଳନ ହୋଇଥିଲା। ଫଳରେ ଏହା ସଂସ୍ପର୍ଶରେ ଆସି ଅମିର ସୋହେଲ ଓ ମୁଦସର ଅଲି ନାମକ ଦୁଇ ବସ୍ ଯାତ୍ରୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ତାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।

ସେହିପରି ଲଦାଖର କାର୍ଗିଲ ଜିଲ୍ଲାରେ ଲେହ-ଶ୍ରୀନଗର ଜାତୀୟ ରାଜପଥରେ ଥିବା ପଣ୍ଡ୍ରାସ ଗ୍ରାମ ନିକଟରେ ପାହାଡ଼ ଉପରୁ ଏକ ବିଶାଳକାୟ ପଥର ହଠାତ୍‌ ଖସି ପଡ଼ିଥିଲା। ଏଥିରେ ଚାପି ହୋଇ ମହମ୍ମଦ କାଜିମ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

କହି ରଖୁଛୁ, କାର୍‌ଗିଲର ରଙ୍ଗଦୁମ୍‌, ପେନ୍ସି ଲା, ଜାନସ୍କର ସମେତ ଲଦାଖର ଅନେକ ଉଚ୍ଚ ଅଞ୍ଚଳରେ ଅଦିନିଆ ତୁଷାରପାତ ଜାରି ରହିଛି। ସହରଗୁଡିକରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ସେପଟେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ (SDRF) ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ୪୦ ଜଣଙ୍କୁ ଉଦ୍ଧାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.